ଭୁବନେଶ୍ୱର: ଜନଜାତୀୟ କ୍ରୀଡା ମହୋତ୍ସବର ତୀରନ୍ଦାଜୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଝିଲି ମୁଣ୍ଡା ଓଡ଼ିଶା ପାଇଁ ବ୍ରୋଞ୍ଜ ପଦକ ଜିତି ଏକ ନୂଆ ଇତିହାସ ଗଢ଼ିଛନ୍ତି। ୨୦୨୫ ମସିହାରେ ବିଶାଖାପାଟଣାରେ ଆୟୋଜିତ ଏହି ରାଷ୍ଟ୍ରୀୟ ସ୍ତରୀୟ ମହୋତ୍ସବରେ ୧୭ ବର୍ଷରୁ କମ୍ ବର୍ଗରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଝିଲି ଏହି ସଫଳତା ଅର୍ଜନ କରିଛନ୍ତି।

ଭାରତୀୟ ତୀରନ୍ଦାଜୀ ସଂଘ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ସମସ୍ତ ରାଜ୍ୟରୁ ଆସିଥିବା ପ୍ରାୟ ୪୦୦ ଆଦିବାସୀ ଖେଳାଳି ଅଂଶଗ୍ରହଣ କରିଥିଲେ। ସେଠାରେ ଝିଲିଙ୍କ ଅଦ୍ଭୁତ ପ୍ରଦର୍ଶନ କଳାହାଣ୍ଡି ଏବଂ ସାରା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି।

ଗତ ତିନି ବର୍ଷ ଧରି ଝିଲି ବେଦାନ୍ତ ଆଲୁମିନିୟମ ଦ୍ୱାରା ଚଳାଉଥିବା ଗୋଷ୍ଠୀ କ୍ରୀଡ଼ା କାର୍ଯ୍ୟକ୍ରମ ଅଧୀନରେ ବୃତ୍ତିଗତ ତାଲିମ ନେଉଛନ୍ତି। ତାଙ୍କ ବ୍ୟକ୍ତିଗତ ରେକର୍ଡରେ ଗୋଟିଏ ଜାତୀୟ ପ୍ରତିନିଧିତ୍ୱ, ଚାରିଟି ରାଜ୍ୟ ସ୍ତରୀୟ ପ୍ରତିନିଧିତ୍ୱ ଓ ଚାରିଟି ରାଜ୍ୟ ପଦକ ଅନ୍ତର୍ଭୁକ୍ତ ଅଛି।

ଏହି ଅବସରରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ କୁମାର କହିଛନ୍ତି, “ଝିଲିଙ୍କ ସଫଳତା ତାଙ୍କ ମଧ୍ୟରେ ଥିବା ଅସାଧାରଣ ପ୍ରତିଭାର ପ୍ରମାଣ। ବେଦାନ୍ତ ଆଲୁମିନିୟମ ଏଭଳି ଯୁବ ପ୍ରତିଭାମାନଙ୍କୁ ଜାତୀୟ ମଞ୍ଚରେ ଆଗକୁ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। କଳାହାଣ୍ଡିର ସାମଗ୍ରିକ ବିକାଶ ପାଇଁ ଏହି ଉଦ୍ୟମ ଏକ ମାନଦଣ୍ଡ। ଝିଲିଙ୍କ ଉପଲବ୍ଧି ଏହି ଦିଗରେ ଗର୍ବର ପାତାକା ଉଠାଇଛି।”