ନୂଆଦିଲ୍ଲୀ, ୭ ମଇ – ବିଶ୍ୱର ସବୁଠୁ ଆକର୍ଷଣୀୟ ଓ ଚର୍ଚ୍ଚିତ ଫ୍ୟାଶନ ଇଭେଣ୍ଟ ‘ମେଟ୍ ଗାଲା ୨୦୨୫’ ରେ ଏଥର ବିଶେଷ ଆକର୍ଷଣ ରହିଲା ଏକ ନୀଳ ଫୁଲମୟ କାର୍ପେଟ, ଯାହା ପ୍ରସ୍ତୁତି କରିଛି କେରଳର ଆଲପ୍ପୁଝା ଅଞ୍ଚଳର ସଂସ୍ଥା ‘ନେୟ୍ଟ୍ ବାଇ ଏକ୍ସଟ୍ରାଓ୍ୱେଭ୍’।

ମେଟ୍ ଗାଲାରେ ଏହା ତୃତୀୟଥର ପାଇଁ ଭାରତୀୟ କାରିଗରୀର ଉଜ୍ଜ୍ୱଳ ପ୍ରଦର୍ଶନ କରିଛି ଏହି ସଂସ୍ଥା। ମେଟ୍ରୋପଲିଟାନ ମ୍ୟୁଜିୟମ୍ ଅଫ୍ ଆର୍ଟ ଆଗରେ ବିଛାଯାଇଥିବା ୬୩,୦୦୦ ବର୍ଗଫୁଟ ବିସ୍ତୃତ ଏହି କାର୍ପେଟ୍ ମାଡାଗାସ୍କାରରୁ ଅଣାଯାଇଥିବା ପ୍ରାକୃତିକ ସିସାଲ୍ ଫାଇବରରେ ନିର୍ମିତ, ଯାହା ସଂପୂର୍ଣ୍ଣ ପରିବେଶ ଅନୁକୂଳ ଓ ବାୟୋଡିଗ୍ରେଡେବଲ୍।

୪୮୦ ଜଣ କାରିଗର ୯୦ ଦିନ ଧରି କାମ କରି ୫୭ଟି ମହାକାୟ କାର୍ପେଟ୍ ରୋଲ୍ ତିଆରି କରିଛନ୍ତି, ଯାହାର ପ୍ରତିଟି ମିଟର ୪ ଚଉଡ଼ା ଓ ୩୦ ଲମ୍ବା। ହାତରେ ଅଙ୍କା ଧଳା ଡାଫୋଡିଲ୍ ଫୁଲର ଡିଜାଇନ୍ ଏହି କାର୍ପେଟକୁ ବେଶ ମନୋହରତା ପ୍ରଦାନ କରିଛି।

ସଂସ୍ଥା କହିଛି ଯେ, ସେମାନେ କେବଳ ବେସ୍ ମାଟେରିଅଲ୍ ପ୍ରସ୍ତୁତ କରିଥିଲେ, କାର୍ପେଟର ଚୂଡ଼ାନ୍ତ ଡିଜାଇନ୍ ମେଟ୍ ଗାଲାର ଟିମ୍ ଦ୍ୱାରା ଏବଂ ତାଙ୍କର ଥିମ୍ ଅନୁଯାୟୀ ହୋଇଛି।

ଏଥରର ମେଟ୍ ଗାଲା ଥିମ୍ ଥିଲା – “Superfine: Tailoring Black Style”, ଯାହା ବ୍ଲାକ୍ ଡାଣ୍ଡିଜମ୍ ଓ ସାର୍ଟୋରିଆଲ୍ ଶୈଳୀରେ ନୂତନ ଆଧୁନିକତାକୁ ପ୍ରଦର୍ଶନ କରିଛି।

ଭାରତୀୟ ତାରକାମାନେ ମଧ୍ୟ ଏଥର ପ୍ରଥମଥର ପାଇଁ ଅଂଶ ନେଇଛନ୍ତି, ଯଥା – ଶାହରୁଖ ଖାନ, ପ୍ରିୟଙ୍କା ଚୋପ୍ରା, କିଆରା ଆଡ଼ଭାନୀ, ଦିଲଜିତ ଦୋସାଞ୍ଝ ଓ ଈଶା ଆମ୍ବାନୀ। ତେବେ କେତେକ ଭାରତୀୟ ସେଲିବ୍ରିଟିଙ୍କୁ ଅଣଦେଖା କରାଯିବା ନେଇ ଅନେକ ଦିଗରୁ ସମାଲୋଚନା ମଧ୍ୟ ହୋଇଛି।

ନେୟ୍ଟ୍ ବାଇ ଏକ୍ସଟ୍ରାଓ୍ୱେଭ୍ ଚଳିତ ବର୍ଷ ତାଙ୍କର ୨୫ ବର୍ଷ ପୂର୍ତି ଉତ୍ସବ ପାଳନ କରୁଛି। ଏହି ସଂସ୍ଥା ପୂର୍ବରୁ ବକିଂହାମ୍ ପ୍ୟାଲେସ୍ ଓ ହ୍ୱାଇଟ୍ ହାଉସ୍ ପାଇଁ କାର୍ପେଟ ଯୋଗାଇ ବୈଶ୍ୱିକ ମଞ୍ଚରେ ଏକ ଉଦାହରଣ ତିଆରି କରିଛି।

କେରଳର ଶିଳ୍ପ ମନ୍ତ୍ରୀ ପି. ରାଜୀଭ ଏହି ସଫଳତା ପାଇଁ ଗର୍ବ ପ୍ରକାଶ କରି ବାଣୀ ଦେଇଛନ୍ତି ଯେ, “ନେୟ୍ଟ୍ ବାଇ ଏକ୍ସଟ୍ରାଓ୍ୱେଭ୍ ଆମ ରାଜ୍ୟର ଟେକ୍ସଟାଇଲ୍ ଶିଳ୍ପକୁ ବିଶ୍ୱ ମଞ୍ଚରେ ପ୍ରସିଦ୍ଧ କରିଛି।”