ବାଂଶପାଳ (କେନ୍ଦୁଝର): ବାଂଶପାଳ ବ୍ଲକ ଅନ୍ତର୍ଗତ ବାଂଶପାଳ ବଜାର ଅଞ୍ଚଳରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଘର ଅଗଣାରେ ଲୁଗା ଶୁଖାଉଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ମା ଓ ତାଙ୍କ ୨ ବର୍ଷର ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।
ମୃତ:
- କଳ୍ପନା ମହାକୁଡ଼ (୨୩ ବର୍ଷ)
- ଶିଶୁପୁତ୍ର ଶୁଭ୍ରଜିତ ବେହେରା (୨ ବର୍ଷ)
ଗୁରୁତର ଅବସ୍ଥାରେ:
- ଶାନ୍ତିଲତା ବେହେରା (ଶାଶୂ)
ସୂଚନା ଅନୁଯାୟୀ, ସକାଳ ସାଢେ଼ ୧୦ଟା ରୁପାସେ କଳ୍ପନା ମହାକୁଡ଼ ଘର ଅଗଣାରେ ଲୁଗା ଶୁଖାଉଥିବା ବେଳେ ଏକ ବିଦ୍ୟୁତ ତାର ଲୁଗା ଶୁଖାଉଥିବା ତାର ସହିତ ଟଚ୍ ହୋଇଯାଇଥିଲା। ଏହାରେ ତିନିଜଣେ ବିଦ୍ୟୁତ୍ ଆଘାତରେ ପଡ଼ିଯାଇଥିଲେ। ପ୍ରଥମେ କଳ୍ପନାଙ୍କୁ ବିଦ୍ୟୁତ୍ ଲାଗିଥିବା ବେଳେ ତାଙ୍କ ଶିଶୁପୁତ୍ର ମାଙ୍କୁ ଛୁଇଁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ପରେ ଶାନ୍ତିଲତା ମଧ୍ୟ ଉଦ୍ଧାର କରିବା ଚେଷ୍ଟା କରି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ।
ଘଟଣା ସ୍ଥଳରେ ଥିବା ଲୋକେ ସମସ୍ତଙ୍କୁ ବାଂଶପାଳ ମେଡିକାଲରେ ନେଇଥିଲେ, ଯେଉଁଠାରେ ଡାକ୍ତର ମା ଓ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଆହତ ଶାଶୂଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ତାଙ୍କ ଚିକିତ୍ସା ଜାରି ଅଛି।
ଏହି ଅଭାବନୀୟ ଦୁଃଖଦ ଘଟଣାକୁ ନେଇ ବାଂଶପାଳ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।