ଭୁବନେଶ୍ୱର: ରାଜଧାନୀରେ ପୁଣିଥରେ ଘଟିଛି ପିଲା ଅପହରଣ ଘଟଣା। ତେବେ ଚିନ୍ତାର କଥା ହେଉଛି ଅଭିଯୋଗ ହେବା ପରେ ମାତ୍ର ୩ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଧରାପଡିଛି ଓ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସହିଦନଗର ଥାନା ଅନ୍ତର୍ଗତ ଘଟଣାଟି ମଙ୍ଗଳବାର ସକାଳ ୧୦.୩୦ଟା ସମୟରେ ଘଟିଥିଲା। ଘର ଭିତରେ ବ୍ୟସ୍ତ ଥିବା ମାତାପିତାଙ୍କ ଅନୁପସ୍ଥିତିରେ ବାହାରେ ଖେଳୁଥିବା ଚାରି ବର୍ଷର ଶିଶୁ ପୁତ୍ରକୁ ଏକ ଯୁବକ ଅପହରଣ କରି ଚମ୍ପଟ ହୋଇଯାଇଥିଲା।
ଘଟଣା ସମ୍ପର୍କରେ ମିଳିଥିବା ସୂଚନାଅନୁଯାୟୀ, ଅଭିଯୁକ୍ତଙ୍କ ନାମ ଅଭିଷେକ ଦିଗଲ ଓରଫ୍ ‘ସୋନୁ’। ବେଙ୍ଗାଲୁରରେ ଅଭିଯୋଗକାରିଣୀ ଗୋରିତା ସିଂ ସହ ସୋନୁଙ୍କ ଚିନ୍ହାପରିଚୟ ହୋଇଥିଲା। ସମ୍ପର୍କ ବଢ଼ିବା ସହ ସୋନୁକୁ ‘ଧରମ ଭାଇ’ ଭାବେ ଗ୍ରହଣ କରିଥିଲେ ଗୋରିତା। ଏହାପରେ ସେ ନିଜ ପରିବାର ସହ ଭୁବନେଶ୍ୱରକୁ ଫେରି ଆସିଥିଲେ। ବର୍ଷକ ଅନ୍ତରାଳ ପରେ ଅଭିଯୁକ୍ତ ସେହି ସମ୍ପର୍କକୁ ଚାଲୁ ରଖି ତାଙ୍କ ଘରକୁ ଆସିଥିଲେ।
ଅପହରଣ ଘଟଣା ପରେ ସନ୍ଧ୍ୟାବେଳେ ଘର ଲୋକମାନେ ସହିଦନଗର ଥାନାକୁ ଅଭିଯୋଗ ଦାଖଲ କରିଥିଲେ। ତତ୍ପରତା ଦେଖାଇ ସହିଦନଗର ଥାନା ପୋଲିସ ଏକ ବିଶେଷ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା।
ପୋଲିସଙ୍କ ଅକ୍ଲାନ୍ତ ଚେଷ୍ଟା ଫଳରେ ମାତ୍ର ୩ ଘଣ୍ଟାରେ ସାଲିଆ ସାହି ଅଞ୍ଚଳରୁ ଶିଶୁକୁ ଉଦ୍ଧାର କରାଯାଇଛି ଏବଂ ଅଭିଯୁକ୍ତ ସୋନୁକୁ ଗିରଫ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ପଚାରାବାଦ କରାଯାଉଛି ବୋଲି ପୋଲିସ ସୂଚନା ମିଳିଛି।