କ୍ବେଟା: ବେଲୁଚିସ୍ତାନର ସ୍ୱାଧୀନତା ଦାବି ପୁଣିଥରେ ଚରମ ଦାବିରେ ପରିଣତ ହୋଇଛି। ବେଲୁଚ୍ ନେତା ଓ ସ୍ଵାଧୀନତା ସଂଗ୍ରାମୀ ମୀର ୟାର ବାଲୁଚ୍ ସୋସିଆଲ ମିଡିଆରେ “ରିପବ୍ଲିକ୍ ଅଫ୍ ବେଲୁଚିସ୍ତାନ” ଘୋଷଣା କରି ଚହଳ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନରୁ ସ୍ଵାଧୀନତା ଘୋଷଣା କରି ଭାରତ ସରକାର ଓ ଜାତିସଂଘ ପାଖରେ ଅନେକ ଦାବି ଉଠାଇଛନ୍ତି।
ବାଲୁଚ୍ ନେତା ୟାର ବାଲୁଚ୍ ଦାବି କରିଛନ୍ତି ଯେ, ପାକିସ୍ତାନର ଆତଙ୍କବାଦୀ ବ୍ୟବସ୍ଥା ପତନ ଅବସ୍ଥାରେ ଅଛି ଏବଂ ଏହାକୁ ସମାପ୍ତ କରିବା ସମୟ ଆସିଗଲା। ସେ ଭାରତ ସରକାରଙ୍କୁ ବେଲୁଚିସ୍ତାନ ପାଇଁ ଦିଲ୍ଲୀରେ ଦୂତାବାସ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲିବା ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।
ଡେରା ବୁଗଟି ଗ୍ୟାସ୍ ଫିଲ୍ଡ ଉପରେ ଆକ୍ରମଣ ଘଟିଥିବା ଓ ଏଥିରେ ୧୪ ଜଣ ପାକିସ୍ତାନୀ ସୈନିକ ନିହତ ହେବା ଘଟଣାକୁ ବି ଉଲ୍ଲେଖ କରାଯାଇଛି। ବିଏଲଏ (BLA) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।
ଜାତିସଂଘ ପାଖକୁ ଆବେଦନ କରି ୟାର ବାଲୁଚ୍ ଦାବି କରିଛନ୍ତି ଯେ, ବେଲୁଚିସ୍ତାନର ଭୂମି, ସମୁଦ୍ର ଓ ଆକାଶ ସୀମାରୁ ପାକିସ୍ତାନୀ ସେନାକୁ ବାହାର କରାଯିବା ଉଚିତ୍ ଓ ଶାନ୍ତି ବାହିନୀ ପଠାଯିବା ଦରକାର। ଏହାସହ ସମସ୍ତ ଅଣ-ବେଲୁଚ୍ ଅଧିକାରୀମାନେ ତୁରନ୍ତ ଅଞ୍ଚଳ ଛାଡିଯିବା ଦାବି କରାଯାଇଛି।
ମୁମ୍ବାଇର ଜିନ୍ନା ହାଉସକୁ ବେଲୁଚିସ୍ତାନ ହାଉସରେ ପରିଣତ କରିବା ଦାବି କରିଛନ୍ତି ବିଦେଶରେ ଥିବା ବେଲୁଚିସ୍ତାନ ଆନ୍ଦୋଳନର ନେତା ହିରବ୍ୟାର ମାରି। ସେ କହିଛନ୍ତି, ଯେଉଁଠାରୁ ଜିନ୍ନା ଭାରତ ବିଭାଜନ ଯୋଜନା କରିଥିଲେ, ସେଠାରୁ ବେଲୁଚ୍ ଲୋକମାନେ ଏବେ ନିଜ ଦେଶର ସ୍ଵାଧୀନତା ଯୋଜନା କରିବେ।
ଏକ ମଧ୍ୟବର୍ତ୍ତୀ ସରକାର ଗଠନ ଓ ଆଜାଦ ସରକାର ଘୋଷଣା ସମାରୋହ ଖୁବ୍ ଶୀଘ୍ର ହେବାକୁ ଯାଉଛି, ଯେଉଁଥିରେ ମହିଳାମାନେ ମଧ୍ୟ ପ୍ରତିନିଧିତ୍ୱ ମିଳିବ ବୋଲି ବାଲୁଚ୍ ନେତା କହିଛନ୍ତି।