ନୂଆପଡ଼ା: ଜିଲ୍ଲାର କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଭୟାବହ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଭଲ ଚାଷ ପାଇଁ ଗୁଣି ଗାରେଡ଼ି କରି ବଡ଼ବାପା ନିଜ ନାବାଳକ ପୁଅଙ୍କୁ ବଳି ଦେଇଥିବା ଅଭିଯୋଗ ରହିଛି । ଏହି ମାମଲାରେ ଅଦାଳତ ଅଭିଯୁକ୍ତ ଚିନ୍ତାମଣି ମାଝୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦଣ୍ଡ ଘୋଷଣା କରିଛନ୍ତି।
ଘଟଣା ୨୦୧୯ ଅଗଷ୍ଟ ୮ ରେ ଘଟିଥିଲା, ଯେଉଁଠାରେ ଚିନ୍ତାମଣି ମାଝୀ ନିଜ ନାବାଳକ ପୁଅ ଧନସିଂ ମାଝୀଙ୍କୁ ଚାଷଜମିକୁ ଗଛ କାଟିବା ପାଇଁ ଡାକିଥିଲେ। ଏହାପୂର୍ବରୁ ସେଠି ଭଲ ଚାଷ ଅମଳ ପାଇଁ ଗୁଣି ଗାରେଡ଼ି ଓ ପୂଜାପାଠ କରିଥିଲେ। ଗଛ କାଟିବା ବେଳେ ଚିନ୍ତାମଣି ଧାର ଅସ୍ତ୍ରରେ ଆକ୍ରମଣ କରି ଧନସିଂଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେଇଥିଲେ, ଯାହା ତୁରନ୍ତ ମୃତ୍ୟୁରେ ପରିଣତି ହୋଇଥିଲା।
ଘଟଣା ପରେ କୋମନା ଥାନାରେ ମାମଲା (କେସ୍ ନଂ ୧୩୮/୨୦୧୯) ରୁଜୁ କରାଯାଇ ଚିନ୍ତାମଣିଙ୍କୁ ଗିରଫ କରାଯାଇଥିଲା। ଏହି ମାମଲା ସଂପର୍କରେ ଏସଟି କେସ୍ ନଂ ୩୬/୧୧ (୨୦୧୯-୨୦୨୩) ଅନୁସାରେ ନୂଆପଡ଼ା ଅତିରିକ୍ତ ଦୌରାଜଜ୍ ସୁନୀଲ କୁମାର ଦାସଙ୍କ ଅଦାଳତରେ ବିଚାର ଚାଲିଥିଲା।
ଶେଷରେ, ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଦାଳତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଛନ୍ତି। ମାମଲାର ପକ୍ଷରେ ରାଜ୍ୟ ପକ୍ଷରୁ ଅତିରିକ୍ତ ପିପି କାର୍ତ୍ତିକେଶ୍ବର ମହାରଣା ନିୟୁକ୍ତ ଥିଲେ।