ରାଉରକେଲା, ୩୦ ମେ: ଓଡ଼ିଶା-ଝାଡ଼ଖଣ୍ଡ ସୀମା ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ, ଏକ ବଡ଼ ଅଭିଯାନରେ ୪ ଟନ୍ ବିସ୍ଫୋରକ ଉଦ୍ଧାର କରାଯାଇଛି। ଏହି ବିସ୍ଫୋରକଗୁଡ଼ିକୁ ମାଓବାଦୀ ଗତ ୨୭ ମେ ତାରିଖରେ ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଲୁଟି ନେଇଥିଲେ ବୋଲି ଜଣାପଡ଼ିଛି।
ବିଶ୍ବସ୍ତ ସୂତ୍ର ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଥିବା ସିଂହଭୂମ ଜିଲ୍ଲାର ତିରିଲପୋଷି ଠାରୁ ବିସ୍ଫୋରକଗୁଡ଼ିକୁ ସୁରକ୍ଷା ବାହିନୀ ଜବତ କରିଛି। ଏହି ଅପରେସନ୍ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପୋଲିସ ଏବଂ ସିଆରପିଏଫ୍ର ଯୁଗ୍ମ ଉଦ୍ୟମରେ ଚାଲିଥିଲା।
ଅପରେସନ୍ ସମୟରେ ଖୋଦ୍ ସିଆରପିଏଫ୍ କମାଣ୍ଡର ଅସିତ୍ କୁମାର ଏବଂ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଟିମ୍ ସହ ଯୋଗ ଦେଇ ଯାଞ୍ଚ ଜୋରଦାର କରିଥିଲେ। ଏହି ଘଟଣା ସ୍ଥଳରେ ଗତକାଲି ଏନ୍ଆଇଏ ଟିମ୍ ମଧ୍ୟ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିଥିଲା।
ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଛି ବୋଲି ସୂଚନା ମିଳିଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଆଉ ଅଧିକ ମାଓବାଦୀ ଉପସ୍ଥିତି ଅନୁମାନ କରି ଅପରେସନ୍କୁ ଆହୁରି ତୀବ୍ର କରିଛନ୍ତି।