କଟକ – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଲକ୍ଷ-ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ଯିବାକୁ ପ୍ରସ୍ତୁତ ହେବେ। ଏହି ଅପାର ଭିଡ଼କୁ ମନେରେ ରଖି ପରିବହନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ତରଫରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ବସ୍ ମାଲିକ ସଙ୍ଘ ପ୍ରତିନିଧି ଓ ପୁଲିସ ପକ୍ଷରୁ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଏହିଥର ମଧ୍ୟ ରଥଯାତ୍ରା ସମୟରେ ଅନ୍ୟ ରୁଟରୁ ପୁରୀକୁ ଯାଉଥିବା ବସ୍‌ଗୁଡ଼ିକୁ ସ୍ବତନ୍ତ୍ର ପରମିଟ୍ ଦେବା ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗ୍ରହୀ ବସ୍ ମାଲିକମାନେ କିପରି ଆବେଦନ କରିବେ ଓ ଅନୁମତି ପାଇବେ, ସେଥିପାଇଁ ସୁବିଧାଜନକ ବ୍ୟବସ୍ଥା ହେବ।

ପ୍ରମୁଖ ବିନ୍ଦୁଗୁଡ଼ିକ ହେଲେ:

  • କଟକ ଓ ଭୁବନେଶ୍ୱରରୁ ବେଶି ସଂଖ୍ୟାରେ ବସ୍ ପୁରୀକୁ ଚଳାଚଳ କରିବ।
  • ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଭଡ଼ା ନେଲେ ବସ୍ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।
  • ସମସ୍ତ ବସ୍ ଓ ଅଟୋରେ ଭଡ଼ା ତାଲିକା ପ୍ରଦର୍ଶନ ଆବଶ୍ୟକ।
  • ପୁରୀ ପୁଲିସ ଓ ଆରଟିଓ ବିଶେଷ ନଜର ରଖିବେ।
  • ବସ୍ ଷ୍ଟପରେ ଅସ୍ଥାୟୀ ବିଶ୍ରାମାଗାର ଓ ମୌଳିକ ସୁବିଧା ଦିଆଯିବ।
  • ଯାତ୍ରୀଙ୍କ ସୁରକ୍ଷା ପାଇଁ ପୁଲିସ ଟିମ୍ ମନିଟରିଂ କରିବେ, ଅସାମାଜିକ ତତ୍ତ୍ୱ ଉପରେ କଡ଼ା ନଜର ରହିବ।
  • ତାଳବଣିଆରେ ସିସିଟିଭି କ୍ୟାମେରା ଲାଗାଯିବ।
  • ବସ୍‌ରେ ଫାଷ୍ଟଏଡ୍ କିଟ୍ ଓ ଓଆରଏସ ଉପଲବ୍ଧ ରହିବ, ଏସଟିଏ ପକ୍ଷରୁ ସାଧାନ ଦିଆଯିବ।
  • ଆରଟିଓ ତରଫରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟରତ ରହିବ।
  • ଗାଡ଼ି ମରାମତି, କ୍ରେନ୍, ଆମ୍ବୁଲାନ୍ସ ସୁବିଧା ଉପଲବ୍ଧ ରହିବ।
  • କୋଣାର୍କ-ପୁରୀ ରୁଟରେ ଟ୍ରାଫିକ କଟକଣା ଲାଗୁ କରାଯିବ।
  • ତାଳବଣିଆରୁ ଜିଲ୍ଲା ହାଇସ୍କୁଲ ପର୍ଯ୍ୟନ୍ତ ନିଃଶୁଳ୍କ ଯାତ୍ରା ପାଇଁ ୧୦୦ ଅଟୋ ରଖାଯିବ।

ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ମନେରେ ରଖି ବସ୍ ଚଳାଚଳ, ସୁରକ୍ଷା, ଭଡ଼ା ନିୟନ୍ତ୍ରଣ, ଓ ତ୍ରାଫିକ ବ୍ୟବସ୍ଥାପନ ସହ ବିଭିନ୍ନ ଦିଗରେ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି।