ଭୁବନେଶ୍ବର: ଓଡ଼ିଶାର ଅନ୍ତର୍ଜାତୀୟ ବିମାନ ଯାତ୍ରା ଓ ଆର୍ଥିକ ବିକାଶରେ ଏକ ନୂଆ ଅଧ୍ୟାୟ ଯୋଗ ହେଉଛି । ଆସନ୍ତା ଜୁନ୍ ୧୨ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସଂଯୁକ୍ତ ଆରବ ଏମିରାତ୍‌ର ରାଜଧାନୀ ଆବୁଧାବିକୁ ସିଧା ବିମାନ ସେବା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପ୍ରୟାସରେ ଏହି ଉଡ଼ାଣ ବ୍ୟବସ୍ଥା ଆରମ୍ଭ ହେଉଛି ବୋଲି ଅଧିକାରିକ ଉତ୍ସରୁ ସୂଚନା ମିଳିଛି ।

ଏହି ନୂଆ ବିମାନ ସେବା ଫଳରେ ଓଡ଼ିଶାର ବାଣିଜ୍ୟ, ପର୍ଯ୍ୟଟନ ଓ ସଂସ୍କୃତିକ ଆଦାନ-ପ୍ରଦାନ ଉନ୍ନତି ଲଭିବା ଆଶା ରହିଛି । ଇଣ୍ଡିଗୋ ବିମାନ କମ୍ପାନୀ ପକ୍ଷରୁ ସପ୍ତାହରେ ତିନିଥର – ମଙ୍ଗଳବାର, ଗୁରୁବାର ଓ ଶନିବାର – ଏହି ଉଡ଼ାଣ ସେବା ଚାଲୁ ରହିବ ।

ଏହି ବିମାନଯାତ୍ରା ସେବା ଆରମ୍ଭ ହେବା ଦିନ ଅର୍ଥାତ୍ ଜୁନ୍ ୧୨ ରେ ବିଜେପି ସରକାରଙ୍କ ରାଜ୍ୟରେ ଏକ ବର୍ଷ ପୂର୍ତ୍ତି ଅବସର ହେବା ସହ ବିଶେଷ ମାନ୍ୟତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଗକୁ ବଢ଼ୁଥିବା ନୂଆ ଗନ୍ତବ୍ୟ ସ୍ଥଳ ନୀତି (NDPP-2024) ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହା ପୂର୍ବରୁ ଭୁବନେଶ୍ବର ବିମାନ ବନ୍ଦରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ କୁଆଲାଲୁମ୍ପୁରକୁ ବିମାନ ଚାଲିଥିଲେ ମଧ୍ୟ, ଆବୁଧାବି ସିଧାସଳଖ ସେବା ଏପର୍ଯ୍ୟନ୍ତ ନଥିଲା ।

ଏହି ନୂଆ ବିକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି, ଯାହା ଓଡ଼ିଶାକୁ ବିଶ୍ୱ ମଞ୍ଚରେ ଆହୁରି ସୁପରିଚିତ କରିବ ।