ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲାର ଗସ୍ତ କାଳୀନ ସମୟରେ ₹205 କୋଟି ମୂଲ୍ୟର 15ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପମାନଙ୍କ ମଧ୍ୟରୁ 11ଟି ସ୍ୱାସ୍ଥ୍ୟ ବିଭାଗ ଓ 4ଟି ଶିକ୍ଷା ବିଭାଗ ସହିତ ସଂପୃକ୍ତ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ନୂଆ 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଉଦ୍ଘାଟନ କରିଥିଲେ, ଯାହା ଦେବଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ପରିସେବାରେ ଏକ ବଡ଼ ଉନ୍ନତି ବୋଲି ଅଭିମତ ଦିଆଯାଇଛି।

କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୃହତ୍ ସହାୟତା ପ୍ୟାକେଜ୍

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସିଜନାଲ ଷ୍ଟାଫ ପାଇଁ ₹41.17 କୋଟି ଟଙ୍କାର ସହାୟତା ଦିଆଯିବ। ଏଥିରେ ଚପଲ ପାଇଁ ₹160, କପଡ଼ା ପାଇଁ ₹200, ଟୋପି ପାଇଁ ₹100, ଓ ବନ୍ଧାଳିମାନଙ୍କୁ ମଶାରୀ ଓ କମ୍ବଳ ପାଇଁ ₹700 ପ୍ରତିଜଣକୁ ଦିଆଯିବ। ଏହାରୁ ପ୍ରାୟ 9 ଲକ୍ଷ ଶ୍ରମିକ ଉପକୃତ ହେବେ।

ବିକାଶ ଲକ୍ଷ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ମତ

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦେବଗଡ଼ରେ ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ରହିଛି। ଏହି ସାମର୍ଥ୍ୟକୁ ସଠିକ ଭାବେ ବ୍ୟବହାର କରି ଏହି ଜିଲ୍ଲାକୁ ରାଜ୍ୟ ବିକାଶର ମୁଖ୍ୟ ଧାରାରେ ଯୋଡିଦିଆଯିବ।”

ସେ କହିଛନ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଇ ହିଁ “ସମୃଦ୍ଧ ଓଡିଶା 2036 ଏବଂ ବିକଶିତ ଭାରତ 2047” ର ଲକ୍ଷ୍ୟ ପୂରଣ କରାଯିବ।