କିଏଭ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ମୋଡ଼ ଆସିଛି। ଗତ ୭୨ ଘଣ୍ଟା ମଧ୍ୟରେ ୟୁକ୍ରେନ ରୁଷ ଉପରେ ଆଉ ଏକ ଭୟାନକ ଆକ୍ରମଣ କରିଛି। ଏଥର ୟୁକ୍ରେନୀୟ ସେନା କ୍ରିମିୟା ସେତୁକୁ ଲକ୍ଷ୍ୟ କରି ପାଣି ତଳେ ୧୧୦୦ କିଲୋଗ୍ରାମ ବିସ୍ଫୋରକ ରଖି ବିସ୍ଫୋରଣ କରିଥିବା ଦାବି କରାଯାଇଛି। ଯଦିଓ ସେତୁକୁ କେତେ ମାତ୍ରାରେ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ, ତଥାପି ଗମନାଗମନ ଥମି ଯିବା ଜଣାପଡ଼ିଛି।

ୟୁକ୍ରେନ ସୁରକ୍ଷା ସେବା (SBU) ଅନୁଯାୟୀ, ଏହି ଆକ୍ରମଣରେ ଟିଏନଟି ବିସ୍ଫୋରକ ବ୍ୟବହାର କରାଯାଇଛି। ଏହି ସେତୁ ରୁଷକୁ କ୍ରିମିୟା ସହିତ ଯୋଡ଼ୁଥିବା ଏକ ରଣନୈତିକ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ରାସ୍ତା।

ଏହା ପୂର୍ବରୁ ମଧ୍ୟ ୟୁକ୍ରେନ ଏହି ସେତୁ ଉପରେ ଅନେକ ଥର ଆକ୍ରମଣ କରିଥିଲା, କିନ୍ତୁ ଏଥରର ବିସ୍ଫୋରଣ ସବୁଠାରୁ ଭୟାନକ ବୋଲି ବିଶ୍ଳେଷକମାନେ ମନେ କରୁଛନ୍ତି।

ଏହି ଆକ୍ରମଣ ପୂର୍ବରୁ, ଜୁନ୍ ୧ ତାରିଖରେ ଯୁଦ୍ଧ ବିମାନ ଓ ସେନା ଘାଟିକୁ ଲକ୍ଷ୍ୟ କରି ୟୁକ୍ରେନ ଡ୍ରୋନ ଆକ୍ରମଣ ଚାଲାଇଥିଲା। ଏଥିରେ ରୁଷର ୫ଟି ସେନା ଘାଟି ନଷ୍ଟ ହେବା ସହିତ ୪୧ଟି ଯୁଦ୍ଧ ବିମାନ ଧ୍ୱଂସ ହେବା ଦାବି କରାଯାଇଥିଲା।

ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧ ଅବଧିରେ ଏହା ରୁଷ ଉପରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ ବୋଲି ୟୁକ୍ରେନୀୟ ପକ୍ଷ କହିଛି।