ନୂଆଦିଲ୍ଲୀ: ବିଦେଶ ଗସ୍ତ ସାରି ଭାରତକୁ ଫେରୁଛନ୍ତି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଆତଙ୍କବାଦ ବିରୋଧରେ ସ୍ବର ଉଠେଇବା ଏବଂ ପାକିସ୍ତାନର ଆତଙ୍କୀ ପ୍ରବୃତ୍ତିକୁ ଆନ୍ତର୍ଜାତିକ ମଞ୍ଚରେ ଉଜାଗର କରିବା ଲକ୍ଷ୍ୟରେ ଏହି ପ୍ରତିନିଧି ମଣ୍ଡଳୀ ବିଶ୍ୱର ୩୩ଟି ଦେଶକୁ ଗସ୍ତ କରିଥିଲେ। ଏବେ ତାଙ୍କର ଗହନ ଗସ୍ତ ଶେଷ କରି ଏକ ଏକ କରି ସ୍ବଦେଶ ଫେରିବା ଆରମ୍ଭ କରିଛନ୍ତି।
ଏହି ଭ୍ରମଣ ଦଳ ମଧ୍ୟରେ ଥିଲେ ଶଶୀ ଥରୁର, ବୈଜୟନ୍ତ ପଣ୍ଡା, ସଞ୍ଜୟ ଝା, କାନିମୋଜି କରୁଣାନିଧି, ସୁପ୍ରିୟା ସୁଲେ, ରବି ଶଙ୍କର ପ୍ରସାଦ, ଓ ଶ୍ରୀକାନ୍ତ ଏକନାଥ ସିନ୍ଦେ ଭଳି ଅନେକ ଅନୁଭବୀ ନେତା। ଏହିମାନେ ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ, ଆଫ୍ରିକା ଓ ପୂର୍ବ ଏସିଆ ସହିତ ବିଭିନ୍ନ ଦେଶ ଗସ୍ତ କରି ବିଭିନ୍ନ ସରକାର ଓ ନେତୃତ୍ବ ସହିତ ଆଲୋଚନା କରିଛନ୍ତି।
ଡିଏମକେ ନେତା କାନିମୋଜି କରୁଣାନିଧି ଚେନ୍ନାଇ ପହଞ୍ଚି ସଂପ୍ରତି କହିଛନ୍ତି, “ବିଶ୍ବର ସମସ୍ତ ଦେଶ ଆତଙ୍କବାଦ ନେଇ ଚିନ୍ତାରେ ରହିଛନ୍ତି। ସମସ୍ତେ ଚାହୁଁଛନ୍ତି ଆତଙ୍କବାଦ ଶେଷ ହେଉ। ତେଣୁ ସମସ୍ତ ଦେଶ ଏକାଠି ହେବାକୁ ପ୍ରତିଶ୍ରୁତି ଦେଇଛନ୍ତି।”
ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ପାକିସ୍ତାନର ଆତଙ୍କୀ ପ୍ରବୃତ୍ତି ଓ ଆତଙ୍କବାଦର ମୂଳପୋଛ ବାବଦରେ ବିଶ୍ୱକୁ ଅବଗତ କରାଇଥିଲେ। ଏହି ଭ୍ରମଣ ଦ୍ୱାରା ଭାରତ ଆତଙ୍କବାଦ ବିରୋଧରେ ତାଙ୍କର ନୀତି ଓ ଦୃଢ଼ ସ୍ଥିତିକୁ ସ୍ପଷ୍ଟ କରିଛି।
ପ୍ରତିନିଧି ମଣ୍ଡଳୀ ମୋଦୀଙ୍କୁ ବିଭିନ୍ନ ଦେଶର ଅନୁଭବ ଓ ପ୍ରତିକ୍ରିୟା ବାବଦରେ ବ୍ରିଫ୍ କରିବେ। ଏହି ଭେଟ ଜୁନ ୯ କିମ୍ବା ୧୦ ତାରିଖରେ ହେବ ବୋଲି ସୂଚନା ମିଳିଛି। ଏହି ବ୍ରିଫିଂ ପରେ ଆଗାମୀ ଦିନରେ ଆତଙ୍କବାଦ ବିରୋଧରେ ଭାରତ କୌଣସି ନୂଆ ରଣନୀତି ଗ୍ରହଣ କରିପାରେ।