ଭୁବନେଶ୍ୱର: ନୂଆ ସରକାର ଗଠନ ପରେ ଲାଗିଛି ଚାକିରିର ବର୍ଷା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍ତି ଯେ, ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ଓ ବେସରକାରୀ କ୍ଷେତ୍ରରେ ମିଶି ୭୩,୩୪୬ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେଇଛି। ଏହା ଓଡ଼ିଶା ଚାକିରି ରେକର୍ଡରେ ଏକ ଐତିହାସିକ ମାଇଲସ୍ଟୋନ୍ ବୋଲି ସେ ବର୍ଣ୍ଣନା କରିଛନ୍ତି।
ଭୁବନେଶ୍ୱର ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍ଚର୍ ଅଣ୍ଡ ଟେକ୍ନୋଲୋଜିରେ (OUAT) ଆୟୋଜିତ ଏକ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ନିଜେ ଅନେକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏଥିରେ ମୋଟ ୯୬୪ଟି ଖାଲି ପଦବୀ ପୂରଣ ହୋଇଛି। ଯେଉଁଥିରେ ପୂର୍ତ୍ତ, ଜଳସମ୍ପଦ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନ୍ତର୍ଗତ ଅନେକ ପଦବୀ ଶାମିଳ ଥିଲା।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଯୁବ ଶକ୍ତି ଓଡ଼ିଶାର ବିକାଶ ରଥର ସାରଥୀ। ଗତ କିଛି ବର୍ଷ ଧରି ନିଯୁକ୍ତି ପ୍ରକ୍ରିୟା ଧୀର ଗତିରେ ଚାଲିଥିଲା, ଯାହାକୁ ଆମେ ଦ୍ରୁତ କରିଛୁ। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛୁ, ଯାହାର ୨୮,୩୪୬ଟି ଏପର୍ଯ୍ୟନ୍ତ ଦିଆଯାଇଛି।”
ସେ ଆହୁରି କହିଛନ୍ତି ଯେ ବେସରକାରୀ କ୍ଷେତ୍ରରେ ପ୍ରଥମ ବର୍ଷରେ ୪୫ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ମିଳିଛି। ସରକାର ଆଗାମୀ ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଖାଲି ପଦବୀ ପୂରଣ କରିବାକୁ ପ୍ରତିବଦ୍ଧ।
ନିଯୁକ୍ତି ପ୍ରାପ୍ତ ଯୁବ ଶକ୍ତିଙ୍କୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ସରକାରୀ ଚାକିରି ଜନସେବା ପାଇଁ ଥାଏ। ଆପଣମାନେ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ନିଜକୁ ନିୟୋଜିତ କରିବେ। ସମସ୍ତ ନିଷ୍ପତ୍ତି ଓ କାର୍ଯ୍ୟ ଲୋକମଙ୍ଗଳ ଉପରେ ଆଧାରିତ ହେବା ଉଚିତ।”
ଏହି ଉଦ୍ୟମ ଦ୍ୱାରା ଓଡ଼ିଶା ଯୁବ ଶକ୍ତି ମଧ୍ୟରେ ନବୀନ ଆଶା ସୃଷ୍ଟି ହୋଇଛି ଏବଂ ରାଜ୍ୟର ଅର୍ଥନୈତିକ ପରିବେଶ ଉନ୍ନତି ପାଇଁ ଏହା ଏକ ପ୍ରଭାବଶାଳୀ ପଦକ୍ଷେପ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି।