ଭୁବନେଶ୍ୱର, ୨୭ ଜୁନ: ଓଡ଼ିଶାରେ ଖୁବ୍ ଶୀଘ୍ର ମାଗଣା ‘୧୦୯’ ଶବବାହନ ସେବା ଆରମ୍ଭ ହେବାକୁ ଯାଉଛି। ଏହି ସେବା ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ସ୍ତରରେ ବିଭିନ୍ନ ପ୍ରସ୍ତୁତି ଚାଲିଛି। ଗତ ୨୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ସଚିବ ସ୍ମିତା ବିଶ୍ୱାଳ ଗୃହ ଓ ସାଧାରଣ ପ୍ରଶାସନ, ଅର୍ଥ, ବାଣିଜ୍ୟ ଓ ପରିବହନ ବିଭାଗର ଉଚ୍ଚ ପଦଧାରୀମାନଙ୍କୁ ଚିଠି ଲେଖି ସେ ବିଷୟରେ ଅବଗତ କରାଇଛନ୍ତି।
ସେ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି ଯେ, ମାଗଣା ଶବବାହନ ସେବା ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି ଓ ସମ୍ପୃକ୍ତ ବିଭାଗମାନଙ୍କ ସମନ୍ୱୟରେ ନୀତି ନିର୍ଦ୍ଧାରଣ କରାଯିବ। ଏହି ଶବବାହନ ଯୋଜନା ପ୍ରତି ରାଜ୍ୟ ଜନସାଧାରଣର ଦୀର୍ଘଦିନର ଦାବି ଥିଲା।
ଜୁଲାଇ ୨ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହା ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ ଓ ସେଥିରେ ଶେଷ ନିଷ୍ପତ୍ତି ନିଆଯିବ।