ଲୋୱା, ୩୦ ଜୁନ୍: ଭାରତୀୟ ବ୍ୟାଡ୍ମିଣ୍ଟନ୍ ଜଗତ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏବେ ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଦେଶର ଦୁଇ ଉଦୟମାନ ଖେଳାଳି ତନ୍ବୀ ଶର୍ମା ଓ ଆୟୁଷ ସେଟ୍ଟୀ ଫାଇନାଲ୍ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି।
୧୬ ବର୍ଷୀୟା ତନ୍ବୀ ଶର୍ମା ମହିଳା ଏକକ ସେମିଫାଇନାଲ୍ରେ ଯୁକ୍ରେନ୍ର ୭ମ ମାନ୍ୟତାପ୍ରାପ୍ତ ଖେଳାଳି ପୋଲିନା ବୁରୋଭାଙ୍କୁ କେବଳ ୩୪ ମିନିଟ୍ରେ ୨୧-୧୪, ୨୧-୧୬ ରେ ପରାସ୍ତ କରିଥିଲେ। ଏହି ସହିତ, ତିନି ବିଶ୍ୱ ବ୍ୟାଡ୍ମିଣ୍ଟନ୍ ଟୁର୍ ଇଭେଣ୍ଟ୍ର ଫାଇନାଲ୍ ପହଞ୍ଚିଥିବା ସବୁଠୁ କନିଷ୍ଠ ଭାରତୀୟ ଖେଳାଳି ଭାବେ ତିନି ଐତିହାସିକ ସ୍ଥାନ ଅଧିକାର କରିଛନ୍ତି। ଫାଇନାଲ୍ରେ ତାଙ୍କ ସାମ୍ନା ହେବ ଶୀର୍ଷ ମାନ୍ୟତାପ୍ରାପ୍ତ ଆମେରିକା ଖେଳାଳି ବିୱେନ୍ ଝାଙ୍ଗ ସହିତ।
ଅନ୍ୟପଟେ, ଚତୁର୍ଥ ମାନ୍ୟତାପ୍ରାପ୍ତ ଆୟୁଷ ସେଟ୍ଟୀ ପୁରୁଷ ଏକକ ସେମିଫାଇନାଲ୍ରେ ବିଶ୍ୱର ୬ ନମ୍ବର ଚାଇନିଜ୍ ତାଇପେ ଖେଳାଳି ଚୌଉ ତିନ୍ ଚେନ୍ଙ୍କୁ ୨୧-୨୩, ୨୧-୧୫, ୨୧-୧୪ ରେ ହରାଇ ଫାଇନାଲ୍ରେ ପାଉଁ ଦେଇଛନ୍ତି। ଏଥିରେ ସେ ବ୍ରୋଞ୍ଜ୍ ନୁହେଁ, ସ୍ୱର୍ଣ୍ଣ ପାଇଁ ଲଢ଼ିବେ। ତାଙ୍କ ପ୍ରତିଦ୍ୱନ୍ଦୀ ହେବେ କାନାଡାର ୩ୟ ମାନ୍ୟତାପ୍ରାପ୍ତ ବ୍ରାଏନ ୟଙ୍ଗ୍, ଯିଏ ତାଙ୍କର ସେମିଫାଇନାଲ୍ ମ୍ୟାଚ୍ରେ ଚାଇନିଜ୍ ତାଇପେର ଲିଆଓ ଝୁଓ-ଫୁଙ୍କୁ ୨୧-୧୦, ୨୧-୧୨ରେ ପରାସ୍ତ କରିଥିଲେ।
ତନ୍ବୀ ଓ ଆୟୁଷଙ୍କ ଏହି ଅଭୁତପୂର୍ବ ଉପଲବ୍ଧି ଭାରତୀୟ ବ୍ୟାଡ୍ମିଣ୍ଟନ୍ ପାଇଁ ଏକ ଅସାଧାରଣ ମୁହୂର୍ତ୍ତ ନେଇଆସିଛି।