ବାଲେଶ୍ୱର, ୩ ଜୁଲାଇ: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ଅବସ୍ଥା ଅନୁଧାବନ ପାଇଁ ଗୁରୁବାର ଆକାଶ ମାର୍ଗରୁ ସମୀକ୍ଷା କରିଛନ୍ତି। ବନ୍ୟା ପରିସ୍ଥିତି ଦ୍ୱାରା ଜିଲ୍ଲାର ୬ଟି ବ୍ଲକ୍ — ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା — ସହିତ ୧୫୪ ଗ୍ରାମ ଓ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ବନ୍ୟାଜଳରେ ପ୍ରଭାବିତ ହୋଇଛି।
ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଖାଦ୍ୟ, ପାନୀୟ ଓ ଆବଶ୍ୟକ ଜୀବନୋପକରଣ ଯୋଗାଇ ଦେବା ସହିତ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି। ଏହି କାର୍ଯ୍ୟକୁ ଗତିଶୀଳ କରିବାକୁ ଓଡିଶା ଆପତ୍ତି ବ୍ୟବସ୍ଥାପନ ବାହିନୀ (ODRAF) ଓ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ପରିଡ଼ା ଏହି ବନ୍ୟା ସମୀକ୍ଷା ବିଷୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଲେଖିଛନ୍ତି, “ଆଜି ବାଲେଶ୍ୱର ଜିଲ୍ଲା ଗସ୍ତରେ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲି। ପ୍ରଭାବିତ ଲୋକଙ୍କ ପାଖକୁ ସରକାରୀ ସହଯୋଗ ଶୀଘ୍ର ପହଞ୍ଚିବ ଲାଗି ଆବଶ୍ୟକ ଉଦ୍ଦୋଗ ନିଆଯାଇଛି।”