ନୂଆଦିଲ୍ଲୀ, ୪ ଜୁଲାଇ: ରେଳ ଯାତ୍ରୀମାନେ ଏବେ ଟ୍ରେନ ଭିତରେ କିମ୍ବା ଷ୍ଟେସନରେ ହଜାର ଟଙ୍କା ଖର୍ଚ୍ଚ କରି ଖାଦ୍ୟ କିଣିବା ଦିନ ଶେଷ! ଭାରତୀୟ ରେଳମନ୍ତ୍ରାଳୟ ନୂତନ ଘୋଷଣା କରି ଯାତ୍ରୀମାନଙ୍କ ପାଇଁ ଏକ ଶୁଭ ସନ୍ଦେଶ ଆଣିଛି। ଏହି ଘୋଷଣା ଅନୁଯାୟୀ, ଟ୍ରେନ ଭିତରେ ଏବଂ ଷ୍ଟେସନରେ ଶାକାହାରୀ ମିଲ୍ ବ୍ୟବସ୍ଥା ହେବା ସହିତ ସେଥିର ଦର ମଧ୍ୟ ସ୍ଥିର କରାଯାଇଛି।

ରେଳ ମନ୍ତ୍ରାଳୟ ସୂଚନା ଦେଇଛି ଯେ ଟ୍ରେନ ଭିତରେ ୮୦ ଟଙ୍କା ଏବଂ ଷ୍ଟେସନରେ ୭୦ ଟଙ୍କାରେ ଏହି ଶାକାହାରୀ ଭୋଜନ ଉପଲବ୍ଧ ହେବ। ଏହା ସମ୍ବନ୍ଧରେ ଏକ ଅଫିସିଆଲ୍ ଟ୍ବିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।

ଭୋଜନର ମେନୁ ମଧ୍ୟ ସ୍ପଷ୍ଟ କରାଯାଇଛି, ଯାହା ଅନୁଯାୟୀ –

  • ଭାତ (୧୫୦ ଗ୍ରାମ)
  • ଡାଲି କିମ୍ବା ସାମ୍ବାର (୧୫୦ ଗ୍ରାମ)
  • ଦହି (୮୦ ଗ୍ରାମ)
  • ୨ଟି ପରଟା କିମ୍ବା ୪ଟି ରୋଟି (୧୦୦ ଗ୍ରାମ)
  • ତରକାରୀ (୧୦୦ ଗ୍ରାମ)
  • ଏକ ଆଚାର ପ୍ୟାକେଟ୍ (୧୨ ଗ୍ରାମ) ରହିବ।

ମନ୍ତ୍ରାଳୟ ପକ୍ଷରୁ ସଚେତନ କରାଯାଇଛି ଯେ ଯଦି କୌଣସି ପାଣ୍ଟ୍ରି କର୍ମଚାରୀ କିମ୍ବା ଷ୍ଟେସନର ବ୍ୟବସ୍ଥାପକ ଏହି ନିର୍ଦ୍ଧାରିତ ଦରରୁ ଅଧିକ ଟଙ୍କା ନିଅନ୍ତି, ତେବେ ଯାତ୍ରୀମାନେ ତାଙ୍କୁ ଏହି ଟ୍ବିଟ୍ ଦେଖାଇ ଅସନ୍ତୋଷ ବ୍ୟକ୍ତ କରିପାରିବେ। ଯଦି ସେମାନେ ଏହି ସୂଚନାକୁ ମାନନ୍ତି ନାହିଁ, ତେବେ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯିବ।