କୋରାପୁଟ, ୫ ଜୁଲାଇ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କୋରାପୁଟ ଜିଲ୍ଲା ଗ୍ରସ୍ତରେ ଦୁଇ ଦିନିଆ ଦୌରା ସମୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ୧୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପମାନଙ୍କ ମଧ୍ୟରେ ଏକାଡେମିକ କୋଠା, ସ୍ୱାସ୍ଥ୍ୟକେନ୍ଦ୍ର, କୂଳପତିଙ୍କ ବାସଭବନ, ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ବାସଗୃହ ସମିଲିତ ଅଛି।

ଏହି ସହିତ, ୪୭୯.୯୨ କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ପଦକ୍ଷେପ ଓଡ଼ିଶାର ଉଚ୍ଚଶିକ୍ଷା ଖେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ କରିଛି।

ଅନ୍ୟପଟେ, ଓଡ଼ିଶାର ୬ଟି ପ୍ରମୁଖ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ – ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, IIT ଭୁବନେଶ୍ୱର, IIM ସମ୍ବଲପୁର, NIT ରାଉରକେଲା, IISER ବ୍ରହ୍ମପୁର ଓ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ – ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି।

ଏହି ବୁଝାମଣାପତ୍ର ଜାତୀୟ ଶିକ୍ଷା ନୀତି (NEP) 2020 ର ଲକ୍ଷ୍ୟ ସହ ମିଳିଥିବା ବେଳେ, ବହୁବିଧ ଶିକ୍ଷା, ଆନ୍ତଃବିଷୟିକ ଗବେଷଣା, ଶିକ୍ଷକ-ଛାତ୍ର ବିନିମୟ, ଡିଜିଟାଲ ଶିକ୍ଷା, ଉଦ୍ୟୋଗୀତା, ଓ ଭାରତୀୟ ଜ୍ଞାନ ପ୍ରଣାଳୀର ଉନ୍ନତିକୁ ପ୍ରୋତ୍ସାହନ ଦେବ। ଏହା ଆଦିବାସୀ ଓ ସ୍ଥାନୀୟ ସମ୍ପ୍ରଦାୟଙ୍କ ସଶକ୍ତିକରଣରେ ମଧ୍ୟ ଏକ ମୁଖ୍ୟ ଭୂମିକା ନିଭାଇବ।

ଏହି ଅବସରରେ ଓଡ଼ିଶା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୂଳାନନ୍ଦ ମଲ୍ଲିକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ ଓ ଅଞ୍ଚଳର ବିଧାୟକମାନେ ଉପସ୍ଥିତ ଥିଲେ।