ଭୁବନେଶ୍ୱର, ୧୬ ଜୁଲାଇ: ବାଲେଶ୍ୱର ଏଫ୍‌ଏମ୍‌ ସ୍ୱୟଂଶାସିତ କଲେଜର ବି.ଏଡ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଘଟଣା ପରେ ରାଜ୍ୟ ଜୁଡି ଚର୍ଚ୍ଚା ବଢ଼ିଥିବା ବେଳେ, ତାଙ୍କ ପିତା ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଏହା କେବଳ ଆତ୍ମହତ୍ୟା ନୁହେଁ, ବରଂ ପୂର୍ବନିଯୋଜିତ ହତ୍ୟା ଓ ମାନସିକ ଉତ୍ପୀଡନର ଫଳ।

ସୌମ୍ୟାଶ୍ରୀଙ୍କ ପିତା ଅଭିଯୋଗ କରିଛନ୍ତି ଯେ, HOD ସମୀର ସାହୁ କଲେଜରେ ଏକ ରାକେଟ୍‌ ଚାଲାଉଥିଲେ ଓ ତାଙ୍କ ଝିଅଙ୍କୁ ଯୌନ ଉତ୍ପୀଡନ କରିଥିଲେ। ସେ କହିଛନ୍ତି, “ଘଟଣା ଦିନ ପ୍ରିନ୍ସିପାଲ ରୁମରେ ଝିଅ ଉପରେ ମାନସିକ ଚାପ ସୃଷ୍ଟି କରାଯାଇଥିଲା। ପରୀକ୍ଷାରେ ବଞ୍ଚିତ କରିବା ପାଇଁ ଯୋଜନା ହୋଇଥିଲା। ଅନ୍ୟ ୮ ଝିଅମାନେ ପରେ ଅନୁମତି ପାଇଲେ, ମୋ ମେଧାବୀ ଝିଅକୁ କାହିଁକି ଅନୁମତି ମିଳିଲା ନାହିଁ?”

ଘଟଣା ପଛରେ ଥିବା ବିଭାଗୀୟ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ପୂର୍ବ ଠାରୁ ଯୌନ ଉତ୍ପୀଡନ ଓ ଅନ୍ୟ ଅନେକ ଅଭିଯୋଗ ଥିବା ବି ତାଙ୍କ ପିତା ଉଲ୍ଲେଖ କରିଛନ୍ତି। ସୌମ୍ୟାଶ୍ରୀ ପୂର୍ବରୁ କଲେଜ ସାମ୍ନାରେ ଧାରଣା ଦେଇଥିଲେ ଓ ପ୍ରଶାସନଙ୍କ ନିଷ୍କ୍ରିୟତା ପରିଣତି ଭାବରେ ଏହି ଘଟଣା ଘଟିଥିଲା ବୋଲି ମତ ରହିଛି।

ପୁଲିସ ସମୀର ସାହୁଙ୍କୁ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୮ (ଆତ୍ମହତ୍ୟା ପାଇଁ ପ୍ରରୋଚନା) ଓ ଧାରା ୭୫(୧)(ତୃତୀୟ) (ଯୌନ ଉତ୍ପୀଡ଼ନ) ଅନୁଯାୟୀ ଗିରଫ କରିଛି।

ଥମୁନି ଆକ୍ରୋଶର ନିଆଁ:

ଜୁଲାଇ ୧୨ ରେ ସୌମ୍ୟାଶ୍ରୀ କଲେଜ ପରିସରରେ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ। ଶରୀରର ୯୫% ଅଂଶ ଜଳି ଯିବା ପରେ ତାଙ୍କୁ ପ୍ରଥମେ ବାଲେଶ୍ୱର ଡିସିଏଚ, ପରେ ଏମ୍‌ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ୬୦ ଘଣ୍ଟା ଧରି ୧୦ ଡାକ୍ତରଙ୍କ ଟିମ ଚିକିତ୍ସା ଦେଲେ ବି, ତାଙ୍କୁ ବଞ୍ଚାଇପାରିଲେ ନାହିଁ। ଜୁଲାଇ ୧୪ ରାତି ୧୧:୪୬ରେ ତାଙ୍କ ମୃତ୍ୟୁ ଘଟିଥିଲା।

ଥମା ନାହିଁ ମାନ୍ୟତା ଓ ନ୍ୟାୟର ଲଢ଼େଇ:

ସୌମ୍ୟାଶ୍ରୀଙ୍କ ପରିବାର ଏବେ ନ୍ୟାୟ ଦାବିରେ ଅଡ଼ିଆଛନ୍ତି। ସେମାନଙ୍କ ଦାବି, ଯେଉଁମାନେ ଏହି ଅପରାଧରେ ଜଡିତ, ସେମାନଙ୍କ ବିରୋଧରେ କଠୋର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେଉ।