ଭୁବନେଶ୍ୱର (୨୩.୭): ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳ ବିବାଦକୁ ଆପୋଷ ଆଲୋଚନା ଜରିଆରେ ସମାଧାନ କରିବା।
ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, “ମହାନଦୀ ଜଳ ବିବାଦ ଦୁଇ ରାଜ୍ୟର ଲୋକଙ୍କ ପାଇଁ ଗଭୀର ଚିନ୍ତାର ବିଷୟ। ଏହି ବିବାଦକୁ ଆପୋଷ ଉପାୟରେ ଦୂର କରିବାକୁ ଓଡ଼ିଶା ସଦା ସଚେଷ୍ଟ। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ଓ ଜଳ କମିଶନର ବୈଷୟିକ ମତ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବା।”
ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଚାଲିଆସୁଛି। ଛତିଶଗଡ଼ରେ ମହାନଦୀ ଉପରେ ନିର୍ମିତ ବହୁତ ଡ୍ୟାମ ଓ ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ପାଣି ପ୍ରବାହ କମିଥିବା ଅଭିଯୋଗ ରହିଛି, ଯାହା ଏଠାର କୃଷି, ପାନୀୟ ଜଳ ଓ ପରିବେଶ ଉପରେ ପ୍ରଭାବ ପକାଇଛି।
ବୈଠକରେ ରାଜ୍ୟ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ଓ ସମ୍ପୃକ୍ତ ବିଭାଗ ଉପସ୍ଥିତ ଥିଲେ। ମହାନଦୀ ଜଳ ବଣ୍ଟନ, ଛତିଶଗଡ଼ ସହ ଆଗାମୀ ଆଲୋଚନା ପାଇଁ ରାଜ୍ୟର ପ୍ରସ୍ତୁତି ଓ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ମୁଖ୍ୟ ଚର୍ଚ୍ଚା ହୋଇଥିଲା।
ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲ ମଧ୍ୟ କାର୍ଯ୍ୟ କରୁଥିବା ସତ୍ତ୍ୱେ ଦୁଇ ରାଜ୍ୟ ମଧ୍ୟରେ ସିଧାସଳଖ ଆଲୋଚନା ଅତିଆବଶ୍ୟକ।





