ଭୁବନେଶ୍ୱର, ଜୁଲାଇ ୩୧: ସୁଭଦ୍ରା ଯୋଜନାର ତୃତୀୟ ଅର୍ଥ ଅନୁଦାନ ଆଗାମୀ ଅଗଷ୍ଟ ୯ରୁ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରୁ ଆରମ୍ଭ ହେବ। ଏହି କିସ୍ତି ଟଙ୍କା ଏକକାଳୀନ ଭାବେ ଏକ କୋଟିଏଠୁ ଅଧିକ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯିବ।
ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଠାରେ ଯୋଜନାର ଅନେକ ଦିଗ ଉପରେ ଚର୍ଚ୍ଚା କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ପୁଣିଥରେ ଆବେଦନ କରିବା ଆବଶ୍ୟକ ନାହିଁ। ସରକାର ତଥ୍ୟ ପୁନଃ ଯାଞ୍ଚ କରି ବାସ୍ତବରେ ଯୋଗ୍ୟ ଥିବା ମହିଳାମାନଙ୍କୁ ସୁଭଦ୍ରା ଅର୍ଥ ଦେଇପାରିବ।
ସମ୍ପ୍ରତି ୧୨ ଦିନ ଧରି ବିଭିନ୍ନ ଜିଲ୍ଲାରେ ସମୀକ୍ଷା କାର୍ଯ୍ୟ ଚାଲିଛି। ୭,୦୦୦ ହିତାଧିକାରୀଙ୍କ ମତାମତ ଗ୍ରହଣ କରାଯାଇଛି ଓ ଆସନ୍ତା ମାସ ମଧ୍ୟରେ ଆଉ ୨୨,୦୦୦ ଜଣଙ୍କ ମତାମତ ନିଆଯିବ। ସରକାର ଆଗାମୀ ୧୮ ଦିନ ମଧ୍ୟରେ ଟାର୍ଗେଟ୍ ପୂରଣ କରିବା ଲକ୍ଷ୍ୟ ରଖିଛି।
ଏହି ଯୋଜନାରେ ୨୧ ବର୍ଷ ଅତିକ୍ରମ କରିଥିବା ନୂଆ ହିତାଧିକାରୀମାନେ ଅନ୍ତର୍ଭୁକ୍ତ ହେବେ ଓ ମାର୍ଚ୍ଚ ୩୦ ପରେ ୬୦ ବର୍ଷ ପୂରଣ କରିଥିବା ମହିଳାମାନେ ଯୋଜନାରୁ ବାଦ୍ ହେବେ।





