ଭୁବନେଶ୍ୱର, ୨ ଅଗଷ୍ଟ: ଦୀର୍ଘ ସଂଘର୍ଷ ପରେ ବଳଙ୍ଗା ନିର୍ଯାତିତା ଝିଅଟି ଜୀବନ ଯୁଦ୍ଧରେ ହାରିଗଲେ। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଏମ୍ସରୁ ଗୁରୁତର ଅବସ୍ଥାରେ ତାଙ୍କୁ ଏୟାରଲିଫ୍ଟ ମାଧ୍ୟମରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

ଏହି ଦୁଃଖଦ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ X ହ୍ୟାଣ୍ଡେଲରେ ଗଭୀର ଶୋକ ବ୍ୟକ୍ତ କରି ଲେଖିଛନ୍ତି, “ବଳଙ୍ଗା ଘଟଣାରେ ପୀଡିତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରମାନେ ଅହୋରାତ୍ର ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ। ମୁଁ ତାଙ୍କ ଆତ୍ମାର ସଦଗତି କାମନା କରୁଛି ଓ ପରିବାରକୁ ଏହି ବିପଦ ସହିବା ପାଇଁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।”

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଏହି ଘଟଣାକୁ ଦୁଃଖଦ ଓ ଅଭାବନୀୟ ବୋଲି କହି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, “ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଖବର ଏକ ଦୁଃଖଦ ଘଟଣା। ମୁଁ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି ଓ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ଶକ୍ତି ମିଳୁ ବୋଲି କାମନା କରୁଛି।”