ଭୁବନେଶ୍ୱର, ୮ ଆଗଷ୍ଟ: ଆସନ୍ତା ୧୨ ଆଗଷ୍ଟରୁ ଓଡ଼ିଶାରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶାରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ସହିତ ଲଘୁଚାପ କ୍ଷେତ୍ରର ପ୍ରଭାବରେ ବର୍ଷା ବୃଦ୍ଧି ପାଇପାରେ।

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିଲା, ଯେଉଁଥିରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ସର୍ବାଧିକ ୯୦ ମି.ମି. ବର୍ଷା ରେକର୍ଡ ହୋଇଛି। ସମୁଦ୍ରରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ବାଂଲାଦେଶ, ପଶ୍ଚିମବଙ୍ଗ ଓ ତତ୍ସଂଲଗ୍ନ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବାର ପୂର୍ବାଭାସ ମିଳିଛି।

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ସଚେତନ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ତଥା ଖୋର୍ଦ୍ଧା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ସହ ୩୦–୪୦ କି.ମି./ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଅଛି।

ପାଣିପାଗ ବିଭାଗ ଆଜି ଓ ଆସନ୍ତାକାଲି ପାଇଁ ୩୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ଯେଉଁଥିରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଅନ୍ତର୍ଭୁକ୍ତ।

୧୦ ତାରିଖ ପାଇଁ ମଧ୍ୟ କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ରହିବ।