ନୂଆଦିଲ୍ଲୀ, ୧୦ ଅଗଷ୍ଟ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୨୦୨୭ ODI ବିଶ୍ୱକପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭାଗୀଦାରିକୁ ନେଇ ନୂଆ ସର୍ତ୍ତ ଲାଗୁ କରିଛି। ସମ୍ପ୍ରତିକ କାର୍ଯ୍ୟକଳାପ ଦେଖି, ଉଭୟଙ୍କ ବିଦାୟ ସମ୍ଭାବନା ପ୍ରବଳ ହେଉଛି।
ଗତ ଦେଢ଼ ଦଶକ ଧରି ଟିମ୍ ଇଣ୍ଡିଆର ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଯୋଡ଼ି, ସମ୍ପ୍ରତି ଦୁବାଇରେ ହୋଇଥିବା ODI ଚାମ୍ପିଅନ୍ସ ଟ୍ରଫି ଜିତିବାରେ ମୂଲ୍ୟବାନ ଅବଦାନ ରଖିଥିଲେ। ସେଥିଠାରୁ ଭାରତ ଏପର୍ଯ୍ୟନ୍ତ କୌଣସି ODI ସିରିଜ ଖେଳିନାହିଁ।
BCCI ସୂତ୍ରମାନଙ୍କ କହିବା ଅନୁଯାୟୀ, ଯଦି ରୋହିତ ଓ ବିରାଟ ଅଷ୍ଟ୍ରେଲିଆ ଗସ୍ତ ପରେ ମଧ୍ୟ ODI ଖେଳିବାକୁ ଇଚ୍ଛୁନ୍ତି, ତେବେ ସେମାନଙ୍କୁ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଘରୋଇ ବିଜୟ ହଜାରେ ଟ୍ରଫିରେ ନିଜ ରାଜ୍ୟ ଦଳ ପାଇଁ ଖେଳିବା ଅନିବାର୍ୟ ହେବ।
ଗତ ସିଜନରେ ମଧ୍ୟ BCCIର କଠୋର ନୀତି ଯୋଗୁ, ଏହି ଦୁଇଜଣଙ୍କୁ ରଣଜୀ ଟ୍ରଫିରେ ଖେଳିବାକୁ ପଡିଥିଲା। ଏହି କଠିନ ସର୍ତ୍ତ ଯୋଗୁ, ସମ୍ଭବତଃ ସେମାନେ ପୂର୍ବରୁ ଘୋଷଣା କରିଦେଇପାରନ୍ତି ଯେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ସିରିଜ ସେମାନଙ୍କର ଶେଷ ODI ହେବ।