କନକ ବ୍ୟୁରୋ: ରାଜ୍ୟର ୨୦ଟି ଲୋକସଭା ଆସନରୁ ୧୯ଟିରେ ବିଜୟୀ ହୋଇଥିବା ବିଜେପି, ଏକମାତ୍ର କୋରାପୁଟ ଆସନ କଂଗ୍ରେସ ହାତେଇବା ପରେ ଦକ୍ଷିଣ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦେଉଛି। କଂଗ୍ରେସର ୧୪ଜଣ ବିଧାୟକଙ୍କ ମଧ୍ୟରୁ ୬ଜଣ ଏହି ଅଞ୍ଚଳରୁ ଆସିଥିବାରୁ, ଆଗାମୀଦିନରେ ସେମାନଙ୍କ ପ୍ରଭାବ କମାଇବାକୁ ବିଜେପି କୌଶଳ ଆପଣୁଛି।

ଗତ ଦୁଇଦିନ ଧରି କୋରାପୁଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହିତ ଏକାଧିକ ମନ୍ତ୍ରୀ ଶିବିର କରିଥିବାବେଳେ, ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱୟଂ ପହଁଚି ୭୬୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜୟପୁରର ସଭାମଞ୍ଚରୁ ସେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ନିୟୋଜିତ ପଦକ୍ଷେପଗୁଡ଼ିକ ଉଲ୍ଲେଖ କରିଛନ୍ତି।

ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହଭାଗୀ ହୋଇ, ସ୍ୱାଧୀନତା ସଂଗ୍ରାମର ଇତିହାସ ସ୍ମରଣ କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ୟକ୍ରମରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷ ଭାବେ କଟାକ୍ଷ କରିଛନ୍ତି।

ଗତ କିଛି ମାସ ଧରି, ରାଜ୍ୟ କ୍ୟାବିନେଟ୍ ଏବଂ କେନ୍ଦ୍ରର ମନ୍ତ୍ରୀମାନେ ଗଞ୍ଜାମ ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବାରମ୍ବାର ଗସ୍ତ କରି, ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି।