ଭୁବନେଶ୍ବର, ୨୦ ଅଗଷ୍ଟ: ଓଡିଶା ସରକାର ଶିକ୍ଷା ବ୍ୟବସ୍ଥାରେ ପୁନର୍ବାର ପାସ୍-ଫେଲ୍ ପ୍ରଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଏବେରୁ କୌଣସି ପିଲା କ୍ଲାସ୍ରେ ଫେଲ୍ ହେଲେ, ସେ ପୁନର୍ବାର ପରୀକ୍ଷା ଦେଇ ପାସ୍ ହେବା ପରେ ମାତ୍ର ଉପରସ୍ତ କ୍ଲାସ୍କୁ ଯାଇପାରିବ।
ପୂର୍ବତନ ସରକାରରେ ପାସ୍-ଫେଲ୍ ପ୍ରଥା ରଦ୍ଦ ହୋଇଥିଲା। ତା’ ପରେ ପିଲାଙ୍କ ଶିକ୍ଷାର ମାନକ ସ୍ପଷ୍ଟ ହୋଇନଥିଲା ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ନୂଆ ପ୍ରଣାଳୀରେ ପିଲାଙ୍କ ଷ୍ଟାଣ୍ଡାର୍ଡ ସ୍ପଷ୍ଟ ହେବା ସହିତ ଶିକ୍ଷାରେ ମାନଦଣ୍ଡ ବୃଦ୍ଧି ପାଇବାର ଆଶା ରହିଛି।
ସେଥିସହିତ, ଶିକ୍ଷକମାନଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ଯେ, ସେମାନେ ପାଠପଢାରେ ଅବହେଳା ନ କରନ୍ତୁ। ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆକର୍ଷଣ ବଢ଼ିବାକୁ ଏହି ପଦକ୍ଷେପ ଉପକାରୀ ହେବ ବୋଲି ସେ କହିଛନ୍ତି।





