ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ ତତ୍କାଳୀନ ଗଜପତି ଜିଲ୍ଲାର ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ପରେ ଏସଡିଜେଏମ୍ ଏବଂ ଜିଲ୍ଲା ଓ ଦୌରା ଜଜ୍‌ଙ୍କ ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।

ଆତ୍ମସମର୍ପଣ ପରେ ସଂଗ୍ରାମ କେଶରୀ ବେହେରା ପ୍ରଥମେ ଏସଡିଜେଏମ୍ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ମାଜିଷ୍ଟ୍ରେଟ୍ ଗାୟତ୍ରୀ ମିଶ୍ର ସେହି ଆବେଦନ ଖାରଜ କରିଥିଲେ। ପରେ ସେ ଜିଲ୍ଲା ଓ ଦୌରା ଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଦାଲତରେ ମଧ୍ୟ ଜାମିନ ଆବେଦନ କରିଥିଲେ। ସେଠାରେ ମଧ୍ୟ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

୨୦୨୧ରୁ ଚର୍ଚ୍ଚାରେ ଥିବା ମାମଲା

୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଗୁରୁତର ଭାବେ ପୋଡ଼ି ଯାଇଥିଲେ। ପରଦିନ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ରାଜ୍ୟରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଥିଲା।

ପ୍ରଥମେ ସ୍ଥାନୀୟ ପୁଲିସ ମାମଲାର ତଦନ୍ତ କରିଥିବାବେଳେ ପରେ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ପ୍ରାୟ ୮୦ ଜଣଙ୍କ ବୟାନ, କଲ୍ ଡିଟେଲ୍ ରେକର୍ଡ, ପୋଷ୍ଟମର୍ଟମ, ଫରେନସିକ୍ ଏବଂ ଲାଇ ଡିଟେକ୍ସନ୍ ରିପୋର୍ଟକୁ ଆଧାର କରି ତଦନ୍ତ ଶେଷ କରିଥିଲା।

କ୍ରାଇମବ୍ରାଞ୍ଚର ରିପୋର୍ଟ ଓ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା

କ୍ରାଇମବ୍ରାଞ୍ଚ ତଦନ୍ତରେ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ପ୍ରତ୍ୟକ୍ଷ ସମ୍ପୃକ୍ତିର ପ୍ରମାଣ ମିଳିନଥିବା ଦର୍ଶାଯାଇଥିଲା। ତଦନ୍ତରେ ଘଟଣାଟିକୁ ଦୁର୍ଘଟଣା ବୋଲି ଉଲ୍ଲେଖ କରାଯାଇଥିବାବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଅବହେଳା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ତେବେ ସୌମ୍ୟରଞ୍ଜନଙ୍କ ପିତାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପ୍ରୋଟେଷ୍ଟ ପିଟିସନ୍ ଉପରେ ବିଚାର କରି ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତ ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ବିରୋଧରେ ପୂର୍ବତନ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଓ ୧୨୦-ବି ଅନୁଯାୟୀ ବିଚାର ପ୍ରକ୍ରିୟା ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟରୁ ସୁପ୍ରିମକୋର୍ଟ, ଶେଷରେ ଆତ୍ମସମର୍ପଣ

ତଳ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ମାମଲାର ବିଚାର ପ୍ରକ୍ରିୟା ଜାରି ରଖିବାକୁ କହିଥିଲେ। ପରେ ଶୁଣାଣିରେ ବାରମ୍ବାର ଅନୁପସ୍ଥିତ ରହିବାରୁ ୨୦୨୫ ଅଗଷ୍ଟ ୧୪ରେ ଅଦାଲତ ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ।

ପରବର୍ତ୍ତୀ ସମୟରେ ସଂଗ୍ରାମ କେଶରୀ ବେହେରା ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଆଇନଗତ ଆଶ୍ରୟ ନେଇଥିଲେ। ଶେଷରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ତଳ ଅଦାଲତରେ ଆତ୍ମସମର୍ପଣ କରିବାକୁ ସୁଯୋଗ ଦେଇଥିଲେ। ସେହି ନିର୍ଦ୍ଦେଶ ଅନୁଯାୟୀ ସେ ସୋମବାର ଅଦାଲତରେ ହାଜର ହୋଇଥିଲେ।

ଜାମିନ କାହିଁକି ଖାରଜ ହେଲା?

ସୌମ୍ୟରଞ୍ଜନଙ୍କ ପିତାଙ୍କ ପକ୍ଷର ଆଇନଜୀବୀ ରଜତ କୁମାର ପାତ୍ର ଏବଂ ସରକାରୀ ଓକିଲ ରାଜେଶ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଅଦାଲତ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ, ସଂଗ୍ରାମ କେଶରୀ ବେହେରା ଜଣେ ଉଚ୍ଚପଦସ୍ଥ ଓ ପ୍ରଭାବଶାଳୀ ଅଧିକାରୀ ହୋଇଥିବାରୁ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ସେହିପରି ପୂର୍ବରୁ ନ୍ୟାୟିକ ପ୍ରକ୍ରିୟାରେ ଅସହଯୋଗ ଏବଂ ଅଦାଲତଙ୍କ ନିର୍ଦ୍ଦେଶ ପାଳନରେ ବିଳମ୍ବକୁ ମଧ୍ୟ ବିଚାରକୁ ନେଇ ଜାମିନ ଆବେଦନ ଖାରଜ କରାଯାଇଛି।

ଅନ୍ୟପକ୍ଷରେ, ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ରୋଷେୟା ମନ୍ମଥ କୁମ୍ଭ ବର୍ତ୍ତମାନ ସୁଦ୍ଧା ଫେରାର ରହିଛନ୍ତି।