କଟକ: Mohan Charan Majhi କଟକ ଜିଲ୍ଲାର ସୁନ୍ଦରଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଇ ବିଦ୍ୟାଳୟର ୭୫ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରିଛନ୍ତି। ସେ କହିଛନ୍ତି, ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚିତ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ୭୫ ବର୍ଷର ଏହି ସଫଳ ଯାତ୍ରା ପଛରେ ଅନେକ ଶିକ୍ଷାନୁରାଗୀ ଓ ତ୍ୟାଗୀ ବ୍ୟକ୍ତିଙ୍କ ଅବଦାନ ରହିଛି। ସେ ବିଦ୍ୟାଳୟର ପ୍ରତିଷ୍ଠାତା ଓ ଉନ୍ନତିରେ ଯେଉଁମାନେ ଅବଦାନ ରଖିଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଆହୁରି କହିଥିଲେ, ସାଢେ ସାତ ଦଶନ୍ଧି ପୂର୍ବରୁ ରୋପିଥିବା ଏହି ଶିକ୍ଷାର ଚାରା ଆଜି ଏକ ବିଶାଳ ବୃକ୍ଷରେ ପରିଣତ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଆଲୋକ ଦେଉଛି।
ବିଦ୍ୟାଳୟ ପକ୍ଷରୁ ଉଠାଇଥିବା ବିଭିନ୍ନ ଆବଶ୍ୟକତା ଓ ଦାବିଗୁଡ଼ିକୁ ଗୁରୁତ୍ୱ ସହ କେନ୍ଦ୍ରରେ ରଖି ସରକାର ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ ଆଶ୍ୱାସନ ଦେଇଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ସେଥିସହ ପ୍ଲାଟିନମ୍ ଜୁବୁଲି ସ୍ମରଣିକାର ମଧ୍ୟ ଉନ୍ମୋଚନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ୪୫୦ କୋଟି ଟଙ୍କାର ଘୋଷଣା କରାଯାଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।
କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡା. ବିଭୁପ୍ରସାଦ ତରାଇ, ନିଆଳି ବିଧାୟକ ଛବି ମଲ୍ଲିକ, ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ପାଣିଗ୍ରାହୀ, ପୁରାତନ ଛାତ୍ର ଡା. ସୁନୀଲ କୁମାର ଷଡଙ୍ଗୀ, ପ୍ଲାଟିନମ୍ ଜୁବୁଲି କମିଟିର ସଭାପତି ସୁଶାନ୍ତ କୁମାର ଦାଶ ଓ ସମ୍ପାଦକ ଫଣିଭୂଷଣ ମହାନ୍ତି ସହ ବହୁ ଶିକ୍ଷକ, ପୁରାତନ ଛାତ୍ର ଓ ଅଭିଭାବକମାନେ ଉପସ୍ଥିତ ଥିଲେ।




