ସମ୍ବଲପୁର:

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଧୀନ କୁସମୀ ରାସ୍ତାର ଫରେଷ୍ଟ ପାର୍କ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ୭ ବର୍ଷୀୟ ଶିଶୁକନ୍ୟା ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶିବ ମୁଣ୍ଡା (୪୦), ଦୀପକ ମୁଣ୍ଡା (୩୮) ଓ ଜଣେ ଶିଶୁକନ୍ୟା।

ସୂଚନା ଅନୁଯାୟୀ, ଶିବ ମୁଣ୍ଡାଙ୍କ ଜଣେ ସମ୍ପର୍କୀୟ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼ିଥିବାରୁ ଶିବ ମୁଣ୍ଡା ରକ୍ତଦାନ କରିଥିଲେ। ପରେ ସେ ଦୀପକ ମୁଣ୍ଡା ଓ ସମ୍ପର୍କୀୟ ଶିଶୁକନ୍ୟା ଦୀପିକାଙ୍କୁ ସାଥିରେ ନେଇ ବାଇକ୍‌ରେ କୁସମୀ ଜମନକିରା ଅଭିମୁଖେ ଯାଉଥିଲେ।

ସନ୍ଧ୍ୟା ପ୍ରାୟ ୬ଟା ସମୟରେ କୁସମୀ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ବାଇକ୍‌ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍‌ଟି ସ୍କର୍ପିଓ ଭିତରକୁ ପଶିଯାଇଥିଲା। ଘଟଣାସ୍ଥଳରେ ଦୀପକ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା।

ଗୁରୁତର ଆହତ ଶିବ ମୁଣ୍ଡାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ, ୭ ବର୍ଷୀୟ ଶିଶୁକନ୍ୟାକୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।

ଏହି ଦୁଃଖଦ ଘଟଣା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଶିବ ମୁଣ୍ଡାଙ୍କ ପରିବାରରେ ବିଧବା ପତ୍ନୀ, ବୃଦ୍ଧ ବାପା-ମା’ ଓ ଜଣେ ଭିନ୍ନକ୍ଷମ ଝିଅ ରହିଛନ୍ତି। ପରିବାରର ଭରଣପୋଷଣ କିଏ କରିବେ ତାହାକୁ ନେଇ ଏବେ ଚିନ୍ତା ବଢ଼ିଛି।