ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସ୍କୁଲ ସମୟସୂଚୀରେ ପରିବର୍ତ୍ତନ କରିଛି। ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଘରୋଇ ପରିଚାଳିତ ବିଦ୍ୟାଳୟରେ ଜୁନ୍ ୨୫ ପର୍ଯ୍ୟନ୍ତ ସକାଳୁଆ ଶ୍ରେଣୀ ଚାଲିବ।
ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷା ଅଧ୍ୟକ୍ଷଙ୍କ ସ୍ୱାକ୍ଷରିତ ବିଜ୍ଞପ୍ତି ଅନୁଯାୟୀ, ଶିଶୁବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ପାଇଁ ବିଦ୍ୟାଳୟ ସକାଳ ୬ଟା ୩୦ ମିନିଟ୍ରୁ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏହି ବ୍ୟବସ୍ଥା ଜୁନ୍ ୧୯ରୁ କାର୍ଯ୍ୟକାରୀ ହୋଇ ଜୁନ୍ ୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ ଅବକାଶକୁ ଜୁନ୍ ୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଖୋର୍ଦ୍ଧା ପାଇଁ ସେତେବେଳେ ସ୍ପଷ୍ଟ ନିର୍ଦ୍ଦେଶ ଆସିନଥିଲା। ଏବେ ଜିଲ୍ଲା ପ୍ରଶାସନ ସକାଳୁଆ ସ୍କୁଲ ନେଇ ନିଷ୍ପତ୍ତି ସ୍ପଷ୍ଟ କରିଛି।
ଏହା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆର୍ଏସ୍, ପ୍ରାଥମିକ ଚିକିତ୍ସା ସୁବିଧା ଏବଂ ଶ୍ରେଣୀଗୃହରେ ଯଥେଷ୍ଟ ବାତାୟନ ବ୍ୟବସ୍ଥା ନିଶ୍ଚିତ କରିବାକୁ କୁହାଯାଇଛି।
ସରକାରୀ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପୂର୍ବବତ୍ ଜାରି ରହିବ। ତେବେ ଏସ୍ଆଇଆର୍ ଓ ପରୀକ୍ଷା ସମ୍ବନ୍ଧୀୟ ଦାୟିତ୍ୱରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।




