ପୁରୀ: ପୁରୀ ଜିଲ୍ଲାରେ ନିକଟରେ ଘଟିଥିବା ବନ୍ୟାର କ୍ଷୟକ୍ଷତି ଓ ରିଲିଫ୍‌ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ପୁରୀ ସର୍କିଟ୍‌ ହାଉସ୍‌ରେ ଆୟୋଜିତ ସମୀକ୍ଷା ବୈଠକରେ ସେ କହିଛନ୍ତି ଯେ, କ୍ଷତିଗ୍ରସ୍ତ ପରିବାରଙ୍କ ସହ ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି ଏବଂ ସହାୟତା ପ୍ରଦାନରେ ଅର୍ଥ କେବେ ବାଧକ ସାଜିବ ନାହିଁ।

ମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ମୁଣ୍ଡୁଳି ନିକଟରେ ୧୨ ଲକ୍ଷ କ୍ୟୁସେକ୍‌ ପର୍ଯ୍ୟନ୍ତ ଜଳ ପ୍ରବାହ ହେଲେ ମଧ୍ୟ ଯେପରି ନଦୀ ଓ ତଟବର୍ତ୍ତୀ ଅଞ୍ଚଳରେ ବଡ଼ କ୍ଷତି ନ ଘଟେ, ସେଥିପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯାଉଛି। ସମସ୍ତ ବିଭାଗକୁ ଯୁଗ୍ମ ସର୍ଭେ କରି ଶୀଘ୍ର କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟ ଆଧାରରେ ପ୍ରଭାବିତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ।

ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସୂଚନା ଅନୁଯାୟୀ, ପୁରୀ ସଦର, ନିମାପଡ଼ା, ପିପିଲି, ଡେଲାଙ୍ଗ ଏବଂ କଣାସ ବ୍ଲକ୍‌ର ୧୪ଟି ପଞ୍ଚାୟତ ଅଧୀନ ୧୯ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏହି ବନ୍ୟାରେ ମୋଟ ୧୭,୨୨୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪୬.୦୭ କ୍ୱିଣ୍ଟାଲ୍‌ ଚୁଡ଼ା ଏବଂ ୫.୩୨୫ କ୍ୱିଣ୍ଟାଲ୍‌ ଗୁଡ଼ ବଣ୍ଟନ କରାଯାଇଛି।

କୃଷି ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ, ପ୍ରାୟ ୩,୭୭୮.୨୬ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ୬ଟି ମେଡିକାଲ୍‌ ଟିମ୍‌, ୧୨ଟି ଅଗ୍ନିଶମ ୟୁନିଟ୍‌ ଏବଂ ୧୧ଟି ପ୍ରାଣୀ ଚିକିତ୍ସା ଦଳ କାର୍ଯ୍ୟରତ ରହିଛନ୍ତି। ବନ୍ୟା ସମୟରେ ୨୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୯ ଜଣ ଶିଶୁଙ୍କ ଜନ୍ମ ହୋଇଥିବା ସୂଚନା ମିଳିଛି।

ସମୀକ୍ଷା ବୈଠକରେ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବନ୍ୟା ପ୍ରଭାବିତ ବ୍ଲକ୍‌ଗୁଡ଼ିକର ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରିଥିଲେ।