ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ମୁମ୍ବାଇର କୁର୍ଲା ଅଞ୍ଚଳରେ ବୁଧବାର ଭୋର ସମୟରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି।

ସୂଚନା ଅନୁଯାୟୀ, ଗତକାଲି ରାତିସାରା ପ୍ରବଳ ବର୍ଷା ହେବା ଫଳରେ କୁର୍ଲାର ଚିରାଗ ନଗରସ୍ଥିତ ରାଠୋଡ ମେଡିକାଲ ନିକଟ ଗୌସିୟା ବସ୍ତି ଉପରେ ପାହାଡ଼ର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା। ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ଅନୁଯାୟୀ, ଭୋର ପ୍ରାୟ ୩ଟା ୪୮ ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଥିଲା। ଭୂସ୍ଖଳନ ଫଳରେ ସ୍ଥାନୀୟ କେତେକ ଘର ମାଟିତଳେ ଦବି ଯାଇଥିଲା।

ଖବର ପାଇବା ମାତ୍ରେ ବିଏମସି ଅଗ୍ନିଶମ ବାହିନୀ, ପୁଲିସ, ଏନଡିଆରଏଫ (NDRF), ବିଦ୍ୟୁତ ବିତରଣ କମ୍ପାନି ଏବଂ ୧୦୮ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଏମସି ମେୟର ଋତୁ ତାୱଡେ ନିଜେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି।

ଡିସିପି ଗଣେଶ ସିନ୍ଦେଙ୍କ ସୂଚନା ଅନୁଯାୟୀ, ଘାଟକୋପର ପୁଲିସ ଥାନା ଅଧୀନ ଅଶୋକ ନଗର ଅଞ୍ଚଳରେ ମଧ୍ୟ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିଛି। ପ୍ରଶାସନ ଓ ଏନଡିଆରଏଫ ପକ୍ଷରୁ ପୂର୍ବରୁ ଏହିସବୁ ବିପଜ୍ଜନକ ପାହାଡ଼ିଆ ଅଞ୍ଚଳ ପରିଦର୍ଶନ କରାଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ସତର୍କ କରାଯାଇଥିଲା। ମାତ୍ର ଅନେକ ଲୋକ ବେଆଇନ ଭାବେ ନିର୍ମିତ କଚ୍ଚା ଘର ଓ ଝୁମ୍ପୁଡ଼ିରେ ରହୁଥିବାରୁ ଏଭଳି ବିପର୍ଯ୍ୟୟ ଘଟିଛି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ମୁମ୍ବାଇ, ଥାଣେ, ପାଲଘର ଏବଂ ରାୟଗଡ଼ ଅଞ୍ଚଳରେ ଆଗାମୀ କିଛି ଦିନ ଯାଏଁ ମୌସୁମୀ ପ୍ରବଳ ବର୍ଷିବ। ଏହି ସବୁ ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ମୁମ୍ବାଇର ଉପକଣ୍ଠ ଅଞ୍ଚଳରେ ପ୍ରାୟ ୨,୦୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାରୁ ପ୍ରଶାସନ ପକ୍ଷରୁ ନାଗରିକଙ୍କୁ ଅନାବଶ୍ୟକ ଭାବେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।