ନୂଆଦିଲ୍ଲୀ: ଅଷ୍ଟମ ବେତନ ଆୟୋଗର ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବା ସହ କର୍ମଚାରୀ ପକ୍ଷରୁ ଦାବି ଜୋରଦାର ହୋଇଛି। ପ୍ରଥମ ବେଠକରେ ବିଭିନ୍ନ ବିଭାଗର କର୍ମଚାରୀ ପ୍ରତିନିଧିମାନେ ସର୍ବନିମ୍ନ ମୂଳ ବେତନକୁ ୬୯ ହଜାର ଟଙ୍କାକୁ ବଢ଼ାଇବା ସହ ପେନ୍ସନ୍ ବ୍ୟବସ୍ଥାରେ ସଂସ୍କାର ଆଣିବା ଓ ବେତନ ଗଣନା ପ୍ରଣାଳୀରେ ପରିବର୍ତ୍ତନ ଦାବି କରିଛନ୍ତି।

ରେଳ, ପ୍ରତିରକ୍ଷା, ଡାକ, ଆୟକର, ଅଡିଟ୍‌ ସହ ଅନ୍ୟାନ୍ୟ ପ୍ରଶାସନିକ ବିଭାଗର ପ୍ରତିନିଧିମାନେ କହିଛନ୍ତି ଯେ ବର୍ତ୍ତମାନର ବେତନ ଢାଞ୍ଚା ଜୀବନ ଧାରଣର ବାସ୍ତବ ଖର୍ଚ୍ଚକୁ ପ୍ରତିଫଳିତ କରୁନାହିଁ। ସେମାନଙ୍କ ମତରେ, ଆଜିର ଅର୍ଥନୈତିକ ଓ ସାମାଜିକ ପରିସ୍ଥିତିକୁ ମନେ ରଖି ବେତନ ବ୍ୟବସ୍ଥାରେ ସଂଶୋଧନ ଅତ୍ୟାବଶ୍ୟକ।

କର୍ମଚାରୀ ପକ୍ଷରୁ ଫିଟ୍‌ମେଣ୍ଟ ଫ୍ୟାକ୍ଟରକୁ ୩.୮୩ ରଖିବା ପ୍ରସ୍ତାବ ଦିଆଯାଇଥିବାବେଳେ, ପୁରୁଣା ପେନ୍ସନ୍ ବ୍ୟବସ୍ଥା ପୁନର୍ବାର ଲାଗୁ କରିବାକୁ ମଧ୍ୟ ଦାବି ଉଠିଛି। ସେମାନେ କହିଛନ୍ତି ଯେ ବେତନ ହିସାବ ପ୍ରଣାଳୀ ପୁରୁଣା ହୋଇଯାଇଥିବାରୁ ଏହାକୁ ଆଧୁନିକ ଓ ବ୍ୟବହାରଯୋଗ୍ୟ କରିବା ଆବଶ୍ୟକ।

ଏହାସହ ନୂତନ ମଡେଲରେ ପରିବାରର ଆବଶ୍ୟକତାକୁ ମୁଖ୍ୟ ଆଧାର କରି ବେତନ ନିର୍ଣ୍ଣୟ କରିବା, ଏବଂ ପୁରୁଷ-ମହିଳା ପାଇଁ ଥିବା ଭିନ୍ନ ଫର୍ମୁଲାକୁ ସମାନ କରିବା ପ୍ରସ୍ତାବ ଦିଆଯାଇଛି। ଏଥିରେ ନିର୍ଭରଶୀଳ ସନ୍ତାନ ଓ ପିତାମାତାଙ୍କ ଖର୍ଚ୍ଚକୁ ମଧ୍ୟ ଗଣନାରେ ଧରିବାକୁ କୁହାଯାଇଛି।

କର୍ମଚାରୀ ପ୍ରତିନିଧିମାନଙ୍କ ମତରେ, ବର୍ତ୍ତମାନ ଖର୍ଚ୍ଚ କେବଳ ଖାଦ୍ୟ ଓ ଘରରେ ସୀମିତ ନୁହେଁ; ଡିଜିଟାଲ ସେବା, ପରିବହନ, ଶିକ୍ଷା ଓ ପୋଷାକରେ ମଧ୍ୟ ବୃଦ୍ଧି ପାଇଛି। ସେଥିପାଇଁ ବେତନ ନିର୍ଦ୍ଧାରଣ ବେଳେ ଏହି ସବୁ ଦିଗକୁ ବିଚାର କରିବାକୁ ଜୋର ଦିଆଯାଇଛି।

ଏହାସହ ଘର ଭଡା ଭତ୍ତା, ପରିବହନ ଭତ୍ତା ବଢ଼ାଇବା ସହ ବିପଦପୂର୍ଣ୍ଣ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବିଶେଷ ବିପଦ ଭତ୍ତା ଲାଗୁ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଏହି ସମସ୍ତ ପ୍ରସ୍ତାବ ଉପରେ ଆଗାମୀ ବେଠକମାନେ ଆୟୋଗ ପକ୍ଷରୁ ଚର୍ଚ୍ଚା କରାଯିବ ବୋଲି ଜଣାପଡ଼ିଛି।