କୋଲକାତା: ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ କଲକାତା ହାଇକୋର୍ଟରୁ ଏକ ବଡ଼ ଝଟ୍କା ଲାଗିଛି। ଚକ୍ଷୁ ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ମାଗି ସେ ଦାୟର କରିଥିବା ଆବେଦନର ଜରୁରୀକାଳୀନ ତଥା ଦ୍ରୁତ ଶୁଣାଣି ପାଇଁ କରିଥିବା ପ୍ରାର୍ଥନାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଏକକ ବେଞ୍ଚ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାରେ କୌଣସି ଜରୁରୀ ପରିସ୍ଥିତି ନାହିଁ। ତେଣୁ ଏହାର ଦ୍ରୁତ ଶୁଣାଣି କରାଯିବ ନାହିଁ ଏବଂ ନିୟମିତ କ୍ରମ ଅନୁଯାୟୀ ହିଁ ମାମଲାର ଶୁଣାଣି ହେବ। ଅବଶ୍ୟ, ବିଦେଶ ଯାତ୍ରା ଅନୁମତି ପାଇଁ ଦାୟର ମୂଳ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି।
ପଶ୍ଚିମବଙ୍ଗ ବିଧାନସଭାରେ ବିଧାୟକଙ୍କ ସ୍ୱାକ୍ଷର ଜାଲିଆତି ମାମଲାରେ ରାଜ୍ୟ ସିଆଇଡି (CID) ଅଭିଷେକ ବାନାର୍ଜୀଙ୍କୁ ଦୁଇଥର ଜେରା କରିସାରିଛି। ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟର ଅନ୍ୟ ଏକ ବେଞ୍ଚ୍ ଜଷ୍ଟିସ କୌଶିକ ଚନ୍ଦା ଅଭିଷେକଙ୍କୁ ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେଇଥିଲେ ସତ, କିନ୍ତୁ କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଯିବା ଉପରେ କଟକଣା ଲଗାଇଥିଲେ। ଏହି କାରଣରୁ ଅଭିଷେକଙ୍କୁ ବିଦେଶ ଯିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଛି।
୨୦୧୬ ଅକ୍ଟୋବରରେ ମୁର୍ଶିଦାବାଦରୁ କୋଲକତା ଫେରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ଅଭିଷେକ ବାନାର୍ଜୀଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିଲା। ଦେଶର ବିଭିନ୍ନ ପ୍ରତିଷ୍ଠିତ ମେଡିକାଲରେ ଚିକିତ୍ସା ପରେ ମଧ୍ୟ ସମସ୍ୟା ଦୂର ନହେବାରୁ ସେ ପୂର୍ବରୁ ଅନେକ ଥର ବିଦେଶରେ ଚକ୍ଷୁ ଚିକିତ୍ସା କରାଇଛନ୍ତି ଏବଂ ଏଥର ମଧ୍ୟ ସେହି ଚିକିତ୍ସା ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି। ତେବେ ହାଇକୋର୍ଟ ଦ୍ରୁତ ଶୁଣାଣି ମନା କରିଦେଇଥିବାରୁ ତାଙ୍କ ବିଦେଶ ଯାତ୍ରା ଏବେ କୋର୍ଟଙ୍କ ସାଧାରଣ ପ୍ରକ୍ରିୟା ଉପରେ ନିର୍ଭର କରୁଛି।




