କାଡାପା (ଆନ୍ଧ୍ରପ୍ରଦେଶ): ଦେଶରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଇଥିବା ବେଳେ ଏବେ ପୁଣି ଆନ୍ଧ୍ରପ୍ରଦେଶର ୱାଇଏସ୍ଆର୍ କାଡାପା ଜିଲ୍ଲାରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଜିଲ୍ଲାରେ କୋଭିଡ୍-୧୯ ପୁନର୍ବାର ମୁଣ୍ଡ ଟେକିଥିବା ବେଳେ ଗତ କିଛି ସପ୍ତାହ ମଧ୍ୟରେ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସତର୍କତା ଓ ନିରୀକ୍ଷଣ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କାଡାପାର ରାଜାମ୍ପେଟ ଅଞ୍ଚଳର ଜଣେ ୫୨ ବର୍ଷୀୟ ବ୍ୟକ୍ତି ଜ୍ୱର ଏବଂ କାସରେ ପୀଡ଼ିତ ହେବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଭେଲୋର ସ୍ଥିତ ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଏକ ମାମଲାରେ, ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କାଡାପାର ଜଣେ ୪୩ ବର୍ଷୀୟ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ହୋଇ କୋଭିଡ୍ ଆଇସିୟୁ (ICU)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହାଛଡ଼ା କାଡାପା ମେଡିକାଲ କଲେଜର ଜଣେ ୨୫ ବର୍ଷୀୟ ମେଡିକାଲ ଛାତ୍ର ମଧ୍ୟ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ବର୍ତ୍ତମାନ ହୋମ୍ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଛନ୍ତି।
ନୂଆ କରୋନା ସଂକ୍ରମଣ ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାରେ ସ୍ୱତନ୍ତ୍ର ‘ରାପିଡ୍ ରେସପନ୍ସ ଟିମ୍’ (RRT) ମୁତୟନ କରାଯାଇଛି। ସଂକ୍ରମିତ ଅଞ୍ଚଳରୁ ପ୍ରାୟ ୪୦ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୮ଟି ନମୁନା ନେଗେଟିଭ୍ ଆସିଛି ଏବଂ ବାକି ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଜିଲ୍ଲାରେ ୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ସଂକ୍ରମଣର ପ୍ରକୃତ କାରଣ ଏବଂ କରୋନାର ନୂଆ ଭାରିଆଣ୍ଟ ବିଷୟରେ ଜାଣିବା ପାଇଁ ସଂଗୃହିତ ନମୁନାଗୁଡ଼ିକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପୁଣେସ୍ଥିତ ଲାବୋରେଟୋରୀକୁ ପଠାଯାଇଛି। ସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।




