କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଘଟିଥିବା ଭିଡ଼ ହିଂସା ମାମଲାରେ ପୁଲିସ ଆଉ ୫ ଜଣଙ୍କୁ ଗିରଫ କରିଛି। ଏହାସହ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ସନ୍ଦେହଭାଜନଙ୍କୁ ଧରିବା ପାଇଁ ପୁଲିସର ଚଢ଼ାଉ ଜାରି ରହିଛି।

ପୁଲିସ ସୂଚନା ଅନୁସାରେ, ବରୁଇପୁର ଥାନା ଅଧୀନ ବିଭିନ୍ନ ଅଞ୍ଚଳରେ ରାତିସାରା ଚଢ଼ାଉ କରାଯାଇ ଏହି ୫ ଜଣଙ୍କୁ ଗିରଫ କରାଯାଇଛି। ଘଟଣାକୁ ନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ପ୍ରଥମ ମାମଲାଟି ସନ୍ଦେହରେ ଜଣେ ଯୁବକଙ୍କୁ ଭିଡ଼ ପିଟିପିଟି ହତ୍ୟା କରିଥିବା ଘଟଣା ସହ ସମ୍ପର୍କିତ ଥିବାବେଳେ, ଦ୍ୱିତୀୟ ମାମଲା ପୁଲିସ ଉପରେ ଆକ୍ରମଣ ଏବଂ ସରକାରୀ ସମ୍ପତ୍ତି ଭଙ୍ଗାରୁଜାକୁ ନେଇ ରୁଜୁ କରାଯାଇଛି।

ବରୁଇପୁର ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୩୫ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଥିବାବେଳେ ସିସିଟିଭି ଫୁଟେଜ୍, ଭିଡିଓ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପ୍ରତ୍ୟେକ ଅଭିଯୁକ୍ତଙ୍କ ଭୂମିକାକୁ ଯାଞ୍ଚ କରାଯାଉଛି। ଆଗାମୀ ଦିନରେ ଆହୁରି କିଛି ଗିରଫଦାରୀ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ନାବାଳିକାଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା

ସୂଚନାନୁସାରେ, ଗତ ଶନିବାର ପୀଡ଼ିତା ନିଜର ଜଣେ ବନ୍ଧୁଙ୍କ ଜନ୍ମଦିନ ପାଇଁ ଉପହାର କିଣିବା ଉଦ୍ଦେଶ୍ୟରେ ଘରୁ ବାହାରିଥିଲେ। କିନ୍ତୁ ସେ ଫେରି ନ ଆସିବାରୁ ପରିବାର ଲୋକେ ପୁଲିସରେ ନିଖୋଜ ଅଭିଯୋଗ କରିଥିଲେ। ପରଦିନ ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଘଟଣା ପରେ ସ୍ଥାନୀୟ ଲୋକେ ଇନ୍ଦ୍ରଜିତ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରି ତାଙ୍କୁ ଭିଡ଼ ମଧ୍ୟରେ ପିଟିପିଟି ହତ୍ୟା କରିଥିଲେ। ଏହାପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିବା ସହ ରେଳଧାରଣାରେ ଭଙ୍ଗାରୁଜା କରିଥିଲେ।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ହସ୍ତକ୍ଷେପ କରିବାବେଳେ ଉତ୍ୟକ୍ତ ଲୋକେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଏହି ହିଂସାକାଣ୍ଡରେ ଏକାଧିକ ପୁଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବାବେଳେ ସରକାରୀ ସମ୍ପତ୍ତିର ମଧ୍ୟ କ୍ଷତି ଘଟିଥିଲା। ବର୍ତ୍ତମାନ ସମଗ୍ର ଘଟଣାର ତଦନ୍ତ ଜୋରଦାର ଭାବେ ଜାରି ରହିଛି।