ନୂଆଦିଲ୍ଲୀ: ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ବିସିଆଇର ସହ-ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ୱାଇ.ଆର୍‌. ସଦାଶିବ ରେଡ୍ଡୀ। ମନନ ମିଶ୍ରଙ୍କ ବିରୋଧରେ ସେ ଅନେକ ଗୁରୁତର ଅଭିଯୋଗ ଉଠାଇବା ସହ ୧୫ ଦିନ ମଧ୍ୟରେ ଇସ୍ତଫା ଦେବା ଏବଂ ବିସିଆଇର ଏକ ସ୍ୱତନ୍ତ୍ର ବୈଠକ ଡାକିବାକୁ ଦାବି କରିଛନ୍ତି।

ରେଡ୍ଡୀଙ୍କ ଅଭିଯୋଗ ଅନୁଯାୟୀ, ମନନ ମିଶ୍ରଙ୍କ ବିରୋଧରେ ପ୍ରାୟ ୧୫୦ କୋଟି ଟଙ୍କାର ପାଣ୍ଠି କଥିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର, ପରିବାର ଭିତ୍ତିରେ ନିଯୁକ୍ତି ଏବଂ ନାଲସାର୍‌ ଛାତ୍ରଛାତ୍ରୀଙ୍କ ବିରୋଧରେ ବେଆଇନ ନିର୍ଦ୍ଦେଶ ଭଳି ପ୍ରସଙ୍ଗ ରହିଛି। ଏଥିସହ ବିସିଆଇ ଏବଂ ବିସିଆଇ ଟ୍ରଷ୍ଟ ‘ପର୍ଲ ଫାର୍ଷ୍ଟର’ ଆକାଉଣ୍ଟର ସ୍ୱତନ୍ତ୍ର ଅଡିଟ୍‌ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

‘ବିସିଆଇ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ’

ମନନ ମିଶ୍ରଙ୍କୁ ଲେଖିଥିବା ଚିଠିରେ ସଦାଶିବ ରେଡ୍ଡୀ କହିଛନ୍ତି ଯେ ସେ ଜଣେ ପ୍ରତିଦ୍ୱନ୍ଦ୍ୱୀ ଭାବେ ନୁହେଁ, ବରଂ ବିସିଆଇର ଜଣେ ନିର୍ବାଚିତ ସଦସ୍ୟ ଏବଂ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଆଇନ ବୃତ୍ତିରେ ଥିବା ବ୍ୟକ୍ତି ଭାବେ ଏହି ଚିଠି ଲେଖୁଛନ୍ତି। ଏହି ପ୍ରସଙ୍ଗରେ ନିରବ ରହିବା ଦେଶର ଆଇନଜୀବୀମାନେ ତାଙ୍କ ଉପରେ ରଖିଥିବା ବିଶ୍ୱାସ ପ୍ରତି ଅବମାନନା ହେବ ବୋଲି ସେ କହିଛନ୍ତି।

ରେଡ୍ଡୀ କହିଛନ୍ତି ଯେ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଆଡଭୋକେଟ୍‌ସ ଆକ୍ଟ, ୧୯୬୧ ଅନୁଯାୟୀ ଗଠିତ ଏହା ଏକ ଆଇନଗତ ସଂସ୍ଥା। ଦେଶର ଲକ୍ଷ ଲକ୍ଷ ଆଇନଜୀବୀଙ୍କ ଅବଦାନରେ ଗଠିତ ଏହି ପାଣ୍ଠି ଆଇନଜୀବୀ ସମୁଦାୟର ସେବା ପାଇଁ ଉଦ୍ଦିଷ୍ଟ ବୋଲି ସେ ଦର୍ଶାଇଛନ୍ତି।

ଦାନ ଓ ଦେୟ ବନ୍ଦ କରିବାକୁ ଆହ୍ୱାନ

ବିସିଆଇ କିମ୍ବା ଏହା ସହ ଜଡ଼ିତ କୌଣସି ଟ୍ରଷ୍ଟ ବା ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଉଥିବା ଦାନ କିମ୍ବା ଦେୟ ତୁରନ୍ତ ବନ୍ଦ କରିବାକୁ ମଧ୍ୟ ସଦାଶିବ ରେଡ୍ଡୀ ଆହ୍ୱାନ କରିଛନ୍ତି।

ଅନ୍ୟପକ୍ଷରେ, ମନନ ମିଶ୍ର ତାଙ୍କ ବିରୋଧରେ ହୋଇଥିବା ଇସ୍ତଫା ଦାବିକୁ ଖାରଜ କରିଛନ୍ତି। କକ୍ରୋଚ୍‌ ଜନତା ପାର୍ଟି ଓ ଅନ୍ୟମାନଙ୍କ ପକ୍ଷରୁ ହୋଇଥିବା ଦାବିକୁ ମଧ୍ୟ ସେ ଅସ୍ୱୀକାର କରି ପଦ ଛାଡ଼ିବାକୁ ମନା କରିଥିବା ଜଣାପଡ଼ିଛି।mm