ଚେନ୍ନାଇ: ତାମିଲନାଡୁ ରାଜନୀତିରେ ରବିବାର ଏକ ଐତିହାସିକ ଅଧ୍ୟାୟ ସୃଷ୍ଟି ହୋଇଛି। ତାମିଲଗା ଭେଟ୍ରି କାଝାଗାମ (TVK) ର ସଭାପତି ତଥା ଲୋକପ୍ରିୟ ଅଭିନେତା ସି. ଜୋସେଫ ବିଜୟ (ଥାଲାପଥି ବିଜୟ) ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନବିଜୟଙ୍କ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:”ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଥ୍ରୀ ସି. ଜୋସେଫ ବିଜୟଙ୍କୁ ଅନେକ ଅନେକ ଅଭିନନ୍ଦନ। ତାଙ୍କର କାର୍ଯ୍ୟକାଳ ସଫଳ ହେଉ ବୋଲି ମୁଁ କାମନା କରୁଛି। ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ତାମିଲନାଡୁ ସରକାରଙ୍କ ସହ ମିଶି କାର୍ଯ୍ୟ କରିବେ।”୬ ଦଶକର ଦ୍ରାବିଡ଼ ଶାସନରେ ପୂର୍ଣ୍ଣଚ୍ଛେଦବିଜୟଙ୍କ ଏହି ବିଜୟ ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି।

୧୯୬୭ ମସିହା ପରଠାରୁ ରାଜ୍ୟରେ ଚାଲିଆସୁଥିବା DMK ଏବଂ AIADMK ର ପାଳି କରି ଶାସନ କରିବା ପ୍ରକ୍ରିୟାର ଏହା ଅନ୍ତ ଘଟାଇଛି। ପ୍ରାୟ ୬୦ ବର୍ଷ ପରେ ଜଣେ ଅଣ-ଦ୍ରାବିଡ଼ ଦଳର ନେତା ଭାବେ ବିଜୟ କ୍ଷମତାକୁ ଆସିଛନ୍ତି।

ଏହି ଉତ୍ସବରେ ସାରା ଦେଶର ବହୁ ପ୍ରତିଷ୍ଠିତ ନେତା ଯୋଗ ଦେଇଥିଲେ। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ବିଭିନ୍ନ ଆଞ୍ଚଳିକ ଦଳର ନେତା, ଚଳଚ୍ଚିତ୍ର ଜଗତର କଳାକାର ଏବଂ ହଜାର ହଜାର ସମର୍ଥକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ ଚେନ୍ନାଇ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିଲା।ଆସନ୍ତା ମେ’ ୧୩ ତାରିଖ ସୁଦ୍ଧା ବିଜୟଙ୍କୁ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୂତନ ସରକାର ଗଠନ ତାମିଲନାଡୁରେ ଏକ ନୂଆ ରାଜନୈତିକ ଯୁଗର ସୂତ୍ରପାତ କରିବ ବୋଲି ଆଶା କରାଯାଉଛି।