ନୂଆଦିଲ୍ଲୀ: କାନାଡାରେ ପ୍ରବାସନ ଓ ଭିସା ନିୟମ କଡ଼ାକଡ଼ି ହେବା ପରେ ଭାରତୀୟଙ୍କ ବିତାଡ଼ନ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୬ ମସିହାର ପ୍ରଥମ ୬ ମାସ, ଅର୍ଥାତ୍ ଜାନୁଆରିରୁ ଜୁନ୍‌ ମଧ୍ୟରେ କାନାଡାରୁ ୩,୩୨୩ ଜଣ ଭାରତୀୟଙ୍କୁ ଦେଶାନ୍ତରିତ କରାଯାଇଛି। ଏହି ସଂଖ୍ୟା ୨୦୨୫ର ସମ୍ପୂର୍ଣ୍ଣ ବର୍ଷରେ ବିତାଡ଼ିତ ହୋଇଥିବା ୩,୭୭୯ ଭାରତୀୟଙ୍କ ପ୍ରାୟ ୮୮ ପ୍ରତିଶତ।

ବର୍ତ୍ତମାନର ଧାରା ଜାରି ରହିଲେ ୨୦୨୬ ମସିହା ଗତ କିଛି ବର୍ଷ ମଧ୍ୟରେ କାନାଡାରୁ ଭାରତୀୟଙ୍କ ବିତାଡ଼ନ କ୍ଷେତ୍ରରେ ସର୍ବାଧିକ ସଂଖ୍ୟାର ବର୍ଷ ହୋଇପାରେ।

ବର୍ଷକୁ ବର୍ଷ ବଢ଼ୁଛି ବିତାଡ଼ନ ସଂଖ୍ୟା

କାନାଡାରୁ ୨୦୨୧ରେ ୬୦୩ ଜଣ, ୨୦୨୨ରେ ୭୮୬ ଜଣ, ୨୦୨୩ରେ ୧,୧୩୨ ଜଣ ଏବଂ ୨୦୨୪ରେ ୨,୦୦୪ ଜଣ ଭାରତୀୟଙ୍କୁ ବିତାଡ଼ିତ କରାଯାଇଥିଲା। ୨୦୨୫ରେ ଏହି ସଂଖ୍ୟା ୩,୭୭୯ରେ ପହଞ୍ଚିଥିଲା। ତେଣୁ ୨୦୨୬ର ପ୍ରଥମ ୬ ମାସରେ ହିଁ ପୂର୍ବବର୍ଷର ମୋଟ ସଂଖ୍ୟାର ଏକ ବଡ଼ ଅଂଶ ଭାରତୀୟ ଦେଶାନ୍ତରିତ ହୋଇସାରିଛନ୍ତି।

ଚଳିତ ବର୍ଷ କାନାଡାରୁ ବିତାଡ଼ନ ମାମଲାରେ ଭାରତ ମେକ୍ସିକୋକୁ ମଧ୍ୟ ପଛରେ ପକାଇଛି। ମେକ୍ସିକୋର ୧,୫୭୩ ଜଣ ନାଗରିକଙ୍କୁ ଏହି ସମୟ ମଧ୍ୟରେ କାନାଡାରୁ ବିତାଡ଼ିତ କରାଯାଇଛି। ପୂର୍ବରୁ ଗତ ପାଞ୍ଚ ବର୍ଷ ଧରି ମେକ୍ସିକୋ ଏହି ତାଲିକାରେ ଶୀର୍ଷରେ ଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେବେ ୨୦୨୦ରେ ୧,୪୨୪ ଜଣ ଭାରତୀୟ ବିତାଡ଼ିତ ହୋଇ ଭାରତ ପ୍ରଥମ ସ୍ଥାନରେ ଥିଲା।

କାହିଁକି ବିତାଡ଼ିତ ହେଉଛନ୍ତି ଭାରତୀୟ?

କାନାଡା ବର୍ଡର ସର୍ଭିସେସ୍ ଏଜେନ୍ସିର ତଥ୍ୟ ଅନୁସାରେ, ଭିସା ଅବଧି ଶେଷ ହେବା ପରେ ମଧ୍ୟ କାନାଡାରେ ରହିବା, ଶରଣାର୍ଥୀ ଆବେଦନ ଖାରଜ ହେବା, ଇମିଗ୍ରେସନ୍ ନିୟମ ଉଲ୍ଲଂଘନ ଏବଂ ଭିସା ଜାଲିଆତି ଭଳି କାରଣରୁ ଭାରତୀୟଙ୍କୁ ଦେଶାନ୍ତରିତ କରାଯାଉଛି।

କାନାଡା ସରକାର ଅସ୍ଥାୟୀ ବାସିନ୍ଦାଙ୍କ ସଂଖ୍ୟା କମାଇବା ସହ ଅନ୍ତର୍ଜାତୀୟ ଛାତ୍ରଙ୍କ ଭିସା ନିୟମକୁ ମଧ୍ୟ କଡ଼ାକଡ଼ି କରିଛନ୍ତି। ଏହାର ପ୍ରଭାବରେ ବିତାଡ଼ନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା କୁହାଯାଉଛି। ଏବେ ମଧ୍ୟ ପ୍ରାୟ ୭,୬୬୯ ଜଣ ଭାରତୀୟ ବିତାଡ଼ନ ପ୍ରକ୍ରିୟାରେ ଥିବାରୁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

କାନାଡା ଯିବାରେ ଭାରତୀୟ ଛାତ୍ରଙ୍କ ଆଗ୍ରହ କମୁଛି

କେବଳ ବିତାଡ଼ନ ନୁହେଁ, କାନାଡା ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି। ସେପ୍ଟେମ୍ବର ୨୦୨୫ ସୁଦ୍ଧା କାନାଡାକୁ ଯାଉଥିବା ଅନ୍ତର୍ଜାତୀୟ ଛାତ୍ରଙ୍କ ମଧ୍ୟରେ ଭାରତୀୟଙ୍କ ଅନୁପାତ ୮.୧ ପ୍ରତିଶତକୁ ଖସିଆସିଛି। ୨୦୨୩ରେ ଏହା ୫୧.୬ ପ୍ରତିଶତ ଥିଲା।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ତଥ୍ୟ ଅନୁସାରେ, ୨୦୨୩ରେ ୨,୩୩,୫୩୨ ଜଣ ଭାରତୀୟ ଛାତ୍ର କାନାଡା ଯାଇଥିଲେ। ୨୦୨୪ରେ ଏହି ସଂଖ୍ୟା ପ୍ରାୟ ୪୧ ପ୍ରତିଶତ ହ୍ରାସ ପାଇ ୧,୩୭,୬୦୮ରେ ପହଞ୍ଚିଥିଲା।

ଅନ୍ୟପକ୍ଷରେ, ୨୦୨୬ ଜାନୁଆରି ୧ରୁ ଜୁଲାଇ ୨୨ ମଧ୍ୟରେ ଆମେରିକା ୧,୨୭୩ ଜଣ ଭାରତୀୟଙ୍କୁ ଦେଶାନ୍ତରିତ କରିଥିବା ତଥ୍ୟ ସାମ୍ନାକୁ ଆସିଛି।