ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ଦେଖାଦେଇଥିବା ଆର୍ଥିକ ଅନିୟମିତତା ବିବାଦ ମଧ୍ୟରେ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଅନ୍ୟତମ ଟ୍ରଷ୍ଟି ଅନିଲ ମିଶ୍ର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସୋମବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟ୍ରଷ୍ଟ ପକ୍ଷରୁ ସେମାନଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇଛି। ଏଥିସହିତ, ଅବସରପ୍ରାପ୍ତ ଭାରତୀୟ ବନ ସେବା (IFS) ଅଧିକାରୀ କୃଷ୍ଣ ମୋହନଙ୍କୁ ଟ୍ରଷ୍ଟର ଅନ୍ତରୀଣ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।
ମନ୍ଦିର ପାଇଁ ମିଳିଥିବା ଦାନ ଅର୍ଥରେ ହେରଫେର ନେଇ ଆସିଥିବା ସଂଗୀନ ଅଭିଯୋଗ ପରେ ଟ୍ରଷ୍ଟ ନୈତିକତା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି। ଗତ ଜୁନ୍ ମାସରେ ଦାନ ଗଣତିରେ ଅନିୟମିତତା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି (SIT) ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲା। ଏହି ଆଧାରରେ ରାମ ଜନ୍ମଭୂମି ଥାନାରେ ଏକ ମାମଲା ରୁଜୁ କରାଯାଇ ଚମ୍ପତ ରାୟଙ୍କ ଗାଡ଼ି ଚାଳକ ଏବଂ ଟ୍ରଷ୍ଟର ୭ ଜଣ କର୍ମଚାରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି।
ଏହି ସମଗ୍ର ଘଟଣାକୁ ନେଇ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଲ ନୟନ ଦାସ କହିଛନ୍ତି ଯେ, ଚମ୍ପତ ରାୟଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସମସ୍ତ ଦାନର ହିସାବ ସୁରକ୍ଷିତ ଅଛି ଏବଂ କେହି ଚାହୁଁନଥିଲେ ଯେ ଚମ୍ପତ ରାୟ ଇସ୍ତଫା ଦିଅନ୍ତୁ। ଅନ୍ୟପଟେ, ପଥର ମନ୍ଦିରର ମହନ୍ତ ମନୀଷ ଦାସ ଏହି ଘଟଣାକୁ ଦୁଃଖଦାୟକ ବୋଲି କହିବା ସହ ଚମ୍ପତ ରାୟ ନୈତିକତା ଆଧାରରେ ଇସ୍ତଫା ଦେଇ ଏକ ଭଲ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ମାମଲାର ଅଭିଯୋଗକାରୀ ଥିବା ନବନିଯୁକ୍ତ ଟ୍ରଷ୍ଟି କୃଷ୍ଣ ମୋହନଙ୍କୁ ବର୍ତ୍ତମାନ ଟ୍ରଷ୍ଟର ଦୈନନ୍ଦିନ କାର୍ଯ୍ୟଭାର ସମ୍ଭାଳିବା ଦାୟିତ୍ୱ ଦିଆଯାଇଛି। ଏହି ବଡ଼ ଧରଣର ପରିବର୍ତ୍ତନ ରାମ ମନ୍ଦିର ପରିଚାଳନାରେ ସ୍ୱଚ୍ଛତା ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି।




