ଭାରତର ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରି ନୂଆଦିଲ୍ଲୀ ଓ ଜାକର୍ତ୍ତା ମଧ୍ୟରେ ଏକ ଐତିହାସିକ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଏହି ଚୁକ୍ତି ଅନୁଯାୟୀ ଭାରତ, ଇଣ୍ଡୋନେସିଆ ସେନାକୁ ‘ବ୍ରହ୍ମୋସ’ ସୁପରସୋନିକ କ୍ରୁଜ୍ ମିସାଇଲ୍ ଯୋଗାଇଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ଗସ୍ତ ସମୟରେ ଏହି ଗୁରୁତ୍ଵପୂର୍ଣ୍ଣ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି ।

ବ୍ରହ୍ମୋସ ବ୍ୟତୀତ ଇଣ୍ଡୋନେସିଆ ଭାରତର ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଅସ୍ତ୍ର’ ଏୟାର-ଟୁ-ଏୟାର ମିସାଇଲ ମଧ୍ୟ ଆମଦାନୀ କରିବ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ଵାରା ବିକଶିତ ଏହି ମିସାଇଲ୍ ଶତ୍ରୁପକ୍ଷର ଯୁଦ୍ଧବିମାନକୁ ଦୂରରୁ ଚିହ୍ନଟ କରି ଧ୍ଵଂସ କରିବାରେ ସକ୍ଷମ । ‘ଅପରେସନ ସିନ୍ଦୂର’ରେ ଏହାର ଚମତ୍କାର ପ୍ରଦର୍ଶନ ପରେ ଏହା ବିଶ୍ଵସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା, ଯାହା ଜାକର୍ତ୍ତାକୁ ଏହି ଅର୍ଡର ଦେବା ପାଇଁ ପ୍ରେରିତ କରିଛି ।

ସୂତ୍ର ଅନୁସାରେ, ଭାରତ ଇଣ୍ଡୋନେସିଆକୁ ଅଧିକ ବ୍ରହ୍ମୋସ ବ୍ୟାଟେରୀ ମଧ୍ୟ ଯୋଗାଇପାରେ, ଯାହା ଦ୍ଵିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିବ । ମିସାଇଲ୍ ଚୁକ୍ତି ସହ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ ଶିଳ୍ପ ସହଯୋଗ ପାଇଁ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଚୁକ୍ତିକୁ ଦୁଇ ଦେଶ ମଧ୍ୟରେ “ବଢୁଥିବା ବିଶ୍ଵାସ”ର ପ୍ରତୀକ ବୋଲି ଅଭିହିତ କରିଛନ୍ତି । ସେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି କରିବା ସହ ଇଣ୍ଡୋନେସିଆରେ ଭାରତୀୟ ଔଷଧ ସହଜରେ ଉପଲବ୍ଧ କରାଇବା ଏବଂ ସେଠାକାର ଡାକ୍ତରମାନଙ୍କ ଦକ୍ଷତା ବିକାଶ ପାଇଁ ଘୋଷଣା କରିଛନ୍ତି ।

ଏହାସହିତ ଷ୍ଟିଲ୍ ଉତ୍ପାଦନ ଓ ଗୁରୁତ୍ଵପୂର୍ଣ୍ଣ ଖଣିଜ ସମ୍ପଦ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ଵାକ୍ଷରିତ ହୋଇଛି, ଯାହା ଆଗାମୀ ଦିନରେ ବିଶ୍ଵ ବଜାରରେ ରଣନୀତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।