ନୂଆଦିଲ୍ଲୀ: ଦିଲ୍ଲୀରେ ସୋମବାର ହୋଇଥିବା CJP (କକ୍ରୋଚ୍ ଜନତା ପାର୍ଟି) ଆନ୍ଦୋଳନ ସମୟରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ମଙ୍ଗଳବାର ରାମ ମନୋହର ଲୋହିଆ (RML) ହସ୍ପିଟାଲରେ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖବର ନେଇଛନ୍ତି। ସେ ଡାକ୍ତରମାନଙ୍କ ସହ ମଧ୍ୟ ଆଲୋଚନା କରି ଆହତଙ୍କୁ ଦିଆଯାଉଥିବା ଚିକିତ୍ସାର ସମୀକ୍ଷା କରିଥିଲେ।

ନଡ୍ଡାଙ୍କ ପରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ RML ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ କଥା ହୋଇଥିଲେ।

ସୋମବାର ସଂସଦ ଅଭିମୁଖେ CJP ପକ୍ଷରୁ ହୋଇଥିବା ପ୍ରଦର୍ଶନ ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଦିଲ୍ଲୀ ପୁଲିସର ଦାବି ଅନୁଯାୟୀ, ଏହି ଘଟଣାରେ ୧୧୮ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ଆହୁରି ଦାବି କରିଛି ଯେ, ଆନ୍ଦୋଳନକାରୀମାନେ ପଥରମାଡ଼ କରିବା ସହ ପ୍ରାୟ ୨୦ଟି ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ ଏବଂ ସରକାରୀ ସମ୍ପତ୍ତିର କ୍ଷତି କରିଥିଲେ। ଏହି ଘଟଣାରେ ଏକାଧିକ ମାମଲା ରୁଜୁ କରାଯାଇଛି।

ଅନ୍ୟପଟେ, ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୬୦ ଜଣ ଆନ୍ଦୋଳନକାରୀ ଆହତ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଜଣେ ୨୦ ବର୍ଷୀୟା ମହିଳା ଗୁରୁତର ଆହତ ହୋଇ RML ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଲାଠିଚାର୍ଜ ସମୟରେ ସେ ଏକ ବ୍ୟାରିକେଡ୍‌ରେ ପିଟି ହୋଇ ଆହତ ହୋଇଥିବା କୁହାଯାଇଛି।

ହସ୍ପିଟାଲ ସୂତ୍ର ଅନୁଯାୟୀ, ଆନ୍ଦୋଳନ ପରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଅଧିକାଂଶ ଆହତଙ୍କ ମଧ୍ୟରୁ ୭୯ ଜଣଙ୍କୁ ମଙ୍ଗଳବାର ସକାଳ ସୁଦ୍ଧା ଡିସଚାର୍ଜ କରାଯାଇଛି। ଅନ୍ୟ ଆହତମାନଙ୍କ ଚିକିତ୍ସା ଜାରି ରହିଛି।