ରାୟପୁର: ବାରମ୍ବାର ଇଞ୍ଜିନ ତ୍ରୁଟି ଦେଖାଦେବା ଅଭିଯୋଗରେ ଜଣେ ଗ୍ରାହକଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଛତିଶଗଡ଼ର ଜିଲ୍ଲା ଉପଭୋକ୍ତା ଆୟୋଗ। ଆୟୋଗ କାର୍ ନିର୍ମାତା କମ୍ପାନି ଓ ଡିଲରଙ୍କୁ ପୁରୁଣା ଗାଡ଼ି ଫେରାଇ ନେଇ ୪୫ ଦିନ ମଧ୍ୟରେ E20 ଇନ୍ଧନ ଉପଯୋଗୀ ଇଞ୍ଜିନ ବିଶିଷ୍ଟ ଏକ ନୂଆ କାର୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲା ଅନୁଯାୟୀ, ଛତିଶଗଡ଼ର ଡାକ୍ତର ପ୍ରେମରାଜ ଦେବ୍‌ତା ୨୦୨୪ ଜୁନ୍ ୩ ତାରିଖରେ ପ୍ରାୟ ୨୦.୫୦ ଲକ୍ଷ ଟଙ୍କା ବ୍ୟୟ କରି ଏକ ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରା ଇଣ୍ଟେଲିଜେଣ୍ଟ ଇଲେକ୍ଟ୍ରିକ୍ ଜେଟା ପ୍ଲସ୍ L5 CVT କାର୍ କିଣିଥିଲେ। ଗାଡ଼ିଟି ୱାରେଣ୍ଟି ଅଧୀନରେ ଥିଲେ ମଧ୍ୟ କ୍ରୟ ପରେ ବାରମ୍ବାର ଇଞ୍ଜିନ ସମସ୍ୟା ଦେଖାଦେଇଥିଲା।

ପ୍ରତ୍ୟେକ ଥର ଗାଡ଼ିକୁ ସର୍ଭିସ ସେଣ୍ଟରକୁ ନେଲେ ଇନ୍ଧନରେ ସମସ୍ୟା ଥିବା କହି ଫ୍ୟୁଏଲ୍ ଟ୍ୟାଙ୍କ ସଫା କରାଯାଇ ଗାଡ଼ି ଫେରାଇ ଦିଆଯାଉଥିଲା। କିନ୍ତୁ କିଛି କିଲୋମିଟର ଚାଲିବା ପରେ ପୁଣି ସେହି ସମସ୍ୟା ଦେଖାଦେଉଥିଲା। ପରେ ଗ୍ରାହକ ନିଜେ ଇନ୍ଧନ ପମ୍ପରେ ଯାଞ୍ଚ କରିଥିଲେ ମଧ୍ୟ ଇନ୍ଧନରେ କୌଣସି ତ୍ରୁଟି ନଥିବା ଜଣାପଡ଼ିଥିଲା।

ଡିଲର ଓ କମ୍ପାନି ପକ୍ଷରୁ ସମସ୍ୟାର ସ୍ଥାୟୀ ସମାଧାନ ନ ମିଳିବାରୁ ଡାକ୍ତର ପ୍ରେମରାଜ ଉପଭୋକ୍ତା ଆୟୋଗର ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, ଗାଡ଼ିଟି ୨୦୨୩ ଜାନୁଆରିରେ ନିର୍ମାଣ ହୋଇଥିଲେ ମଧ୍ୟ ପ୍ରାୟ ୧୬ ମାସ ପରେ ଗ୍ରାହକଙ୍କୁ ବିକ୍ରି କରାଯାଇଥିଲା।

ଆୟୋଗ ରାୟରେ କହିଛନ୍ତି ଯେ, ସମ୍ପୃକ୍ତ ଗାଡ଼ିର ଇଞ୍ଜିନ E20 ପେଟ୍ରୋଲ ପାଇଁ ଉପଯୁକ୍ତ ନଥିଲା। ସେଥିପାଇଁ ପୁରୁଣା ଗାଡ଼ିକୁ ଫେରାଇ ନେଇ ୪୫ ଦିନ ମଧ୍ୟରେ ସମାନ ମଡେଲର E20-ସମର୍ଥିତ ନୂଆ କାର୍ ଯୋଗାଇବାକୁ କମ୍ପାନି ଓ ଡିଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ମାନସିକ ଯନ୍ତ୍ରଣା ପାଇଁ ଗ୍ରାହକଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ମାମଲା ପରିଚାଳନା ଖର୍ଚ୍ଚ ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ମଧ୍ୟ ଆଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାୟ ପାଳନ ନ କରିଲେ ସମ୍ପୃକ୍ତ ପକ୍ଷଙ୍କୁ ୭ ପ୍ରତିଶତ ସୁଧ ସହ ଅର୍ଥ ପ୍ରଦାନ କରିବାକୁ ପଡ଼ିବ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି।