କୋଲକାତା: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଅସୁବିଧା ଆହୁରି ବଢ଼ିଯାଇଛି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଶ୍ଚିମବଙ୍ଗ ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରିଛନ୍ତି। ଆରଜି କର ମେଡିକାଲ କଲେଜରେ ଆର୍ଥିକ ଅନିୟମିତତା ମାମଲାରେ ଇଡି ଏହି ମକଦ୍ଦମା ଚଳାଇବ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆରେ ଏହି ସରକାରୀ ନିର୍ଦ୍ଦେଶନାମା ସେୟାର କରି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ସନ୍ଦୀପ ଘୋଷ ଗତ ୨୦୨୪ ଅଗଷ୍ଟ ମାସରେ ଘଟିଥିବା ଜଣେ ଜୁନିୟର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ଏବଂ ହସ୍ପିଟାଲର ଆର୍ଥିକ ଦୁର୍ନୀତି ଉଭୟ ଘଟଣାରେ ଅଭିଯୁକ୍ତ ଅଛନ୍ତି।
ସରକାରଙ୍କ ଏହି ଅନୁମତି କେବଳ ଇଡି ଦ୍ୱାରା ଯାଞ୍ଚ କରାଯାଉଥିବା ଆର୍ଥିକ ଅନିୟମିତତା ମାମଲା ପାଇଁ ସୀମିତ ରହିବ। ଅନ୍ୟପଟେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଉଭୟ ଦୁଷ୍କର୍ମ-ହତ୍ୟା ଏବଂ ଆର୍ଥିକ ଦୁର୍ନୀତି ମାମଲାର ସମାନ୍ତରାଳ ତଦନ୍ତ ଜାରି ରଖିଛି।ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, “ପୂର୍ବତନ ତୃଣମୂଳ କଂଗ୍ରେସ (TMC) ସରକାର ଦୀର୍ଘ ସମୟ ଧରି ଏହି ମାମଲାର ତଦନ୍ତକୁ ଜୋରଜବରଦସ୍ତ ଏବଂ ଅନୈତିକ ଭାବେ ଅଟକାଇ ରଖିଥିଲେ। କିନ୍ତୁ ଆମେ ବିଶ୍ୱାସ କରୁ ଯେ ଆଇନର ଉପରେ କେହି ନୁହଁନ୍ତି।
‘ଭଉଣୀ ଅଭୟା’ (ପୀଡ଼ିତା ଡାକ୍ତର) ମାମଲାର ପ୍ରକୃତ ଦୋଷୀମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ କଠୋର ଦଣ୍ଡ ଦିଆଯାଉ ଏବଂ ବେଙ୍ଗଲର ଜନସାଧାରଣ ନ୍ୟାୟ ପାଆନ୍ତୁ।”ଏହା ପୂର୍ବରୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ କୋଲକାତାର ପୂର୍ବତନ ପୋଲିସ କମିଶନର ବିନୀତ କୁମାର ଗୋୟଲ ଏବଂ ଅନ୍ୟ ଦୁଇଜଣ ଡେପୁଟି କମିଶନର (ଇନ୍ଦିରା ମୁଖାର୍ଜୀ ଓ ଅଭିଷେକ ଗୁପ୍ତା) ଙ୍କୁ ତଦନ୍ତରେ ସନ୍ଦେହଜନକ ଭୂମିକା ପାଇଁ ତୁରନ୍ତ ନିଲମ୍ବିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମୃତ ପୀଡ଼ିତାଙ୍କ ମା’ ରତ୍ନା ଦେବନାଥ ବର୍ତ୍ତମାନ ବିଜେପି ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି।




