ୱାଶିଂଟନ: ଆସନ୍ତା ସପ୍ତାହରେ ଫ୍ରାନ୍ସର ଏଭିଆନଠାରେ ଅନୁଷ୍ଠିତ ହେବାକୁ ଥିବା G7 ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଜୁନ୍ ୧୭ ତାରିଖରେ ହେବାକୁ ଥିବା ଏହି ବୈଠକରେ ବିଶ୍ୱର ଆର୍ଥିକ ପ୍ରଗତି, ସପ୍ଲାଇ ଚେନ୍ ସୁଦୃଢ଼ୀକରଣ, ବେଆଇନ ଅନୁପ୍ରବେଶ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ବର୍ଷ ପାକିସ୍ତାନ ସୀମାରେ ଭାରତ ପକ୍ଷରୁ କରାଯାଇଥିବା ସଫଳ ‘ଅପରେସନ୍ ସିନ୍ଦୂର’ ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ସାକ୍ଷାତକାର ହେବ। ଏହି ବୈଠକ ପରେ ଟ୍ରମ୍ପ ଓ ମୋଦୀ ଅନ୍ୟ ବିଶ୍ୱ ନେତା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ପ୍ରମୁଖ କାର୍ଯ୍ୟନିର୍ବାହୀଙ୍କ ସହ ଏକ ୱାର୍କିଂ ଲଞ୍ଚ୍‌ରେ ମଧ୍ୟ ଯୋଗଦେବେ।

ରାଷ୍ଟ୍ରପତି ଟ୍ରମ୍ପ ଏହି ଗସ୍ତ କାଳରେ ଫ୍ରାନ୍ସ, କାତାର, ୟୁଏଇ (UAE) ଏବଂ ଇଜିପ୍ଟର ରାଷ୍ଟ୍ରପତିଙ୍କ ସହ ମଧ୍ୟ ଆଲୋଚନା କରିବେ। ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏହି ସମ୍ମିଳନୀ ମାଧ୍ୟମରେ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ପୁଞ୍ଜିନିବେଶ ଭାଗିଦାରୀ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ସୁରକ୍ଷାକୁ ଅଧିକ ପ୍ରୋତ୍ସାହନ ମିଳିବ। ଏହା ସହ ୟୁକ୍ରେନ ପ୍ରସଙ୍ଗ ଏବଂ ମଧ୍ୟପ୍ରାଚ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ସମ୍ମିଳନୀରେ ବିଶେଷ ଗୁରୁତ୍ୱ ଦିଆଯିବ।