ଗୁରୁଗ୍ରାମ: ଗୁରୁଗ୍ରାମର ସୋହନାସ୍ଥିତ ଜିଡି ଗୋଏଙ୍କା ବିଶ୍ୱବିଦ୍ୟାଳୟ (GD Goenka University) ପରିସରରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇବା କ୍ଷଣି ଗୁରୁଗ୍ରାମ ପୁଲିସ ବିଭାଗ ତୁରନ୍ତ ଆକ୍ସନ ମୋଡ୍କୁ ଆସି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଏବଂ ଏହାର ଆଖପାଖ ଅଞ୍ଚଳକୁ କଡ଼ା ସୁରକ୍ଷା ବଳୟ ଭିତରକୁ ନେଇଥିଲା।
ସୂଚନାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସର ଏକାଧିକ ସ୍ୱେସାଲ୍ ଟିମ୍ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟାପକ ତଲାସୀ ଅଭିଯାନ ଚଳାଇଥିଲେ।
କ୍ୟାମ୍ପସକୁ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପୁଲିସର ସୂକ୍ଷ୍ମ ନଜର ରହିଥିଲା। ବିଶ୍ୱବିଦ୍ୟାଳୟର ହୋଷ୍ଟେଲ, ମୁଖ୍ୟ ଭବନ, ଏବଂ ଆଖପାଖ ସନ୍ଦିଗ୍ଧ ଅଞ୍ଚଳରେ ପୁଲିସ ଟିମ୍ ପାର୍କିଂ ଓ ପରିସରର ସ୍ଥିତି ଯାଞ୍ଚ କରିଥିଲେ।
ଆତଙ୍କିତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ
ରାତିଅଧରେ ବିଶ୍ୱବିଦ୍ୟାଳୟ ପରିସରରେ ଭାରୀ ପୁଲିସ ବଳର ମୁତୟନ ଏବଂ ସାଇରେନ୍ ଆବାଜ ଶୁଣି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଭୟ ଓ ଆତଙ୍କ ଖେଳିଯାଇଥିଲା। ବିଳମ୍ବିତ ରାତି ଯାଏଁ ଯାଞ୍ଚ ଚାଲିଥିବାରୁ କ୍ୟାମ୍ପସରେ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।
ଦୀର୍ଘ ସମୟ ଧରି ଚାଲିଥିବା ଏହି ସର୍ଚ୍ଚ ଅପରେସନ୍ ପରେ ପୁଲିସକୁ କୌଣସି ଆତଙ୍କବାଦୀ କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପର ସୁରାକ୍ ମିଳିନାହିଁ। ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।
ତେବେ ଏହି ସୂଚନା କେଉଁଠାରୁ ଆସିଲା, ଏହା କୌଣସି ଗୁଜବ ଥିଲା କି ନାହିଁ ଏବଂ ଏହା ପଛରେ କାହାର ହାତ ଅଛି, ସେ ନେଇ ପୁଲିସ ସୂଚନାର ଉତ୍ସ ଉପରେ ଛାନ୍ଭିନ୍ ଆରମ୍ଭ କରିଛି। ସୋସିଆଲ ମିଡିଆ କିମ୍ବା ଫୋନ୍ କଲ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଥିଲେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସ୍ପଷ୍ଟ କରିଛି।




