ମସ୍କୋ: କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ରୋବୋଟିକ୍ସର ଦ୍ରୁତ ବିକାଶ ମଧ୍ୟରେ ରୁଷର ରାଜଧାନୀ ମସ୍କୋରେ ଏକ ନିଆରା ଘଟଣା ସମସ୍ତଙ୍କ ନଜର ଆକର୍ଷଣ କରିଛି। ପ୍ରଥମ ଥର ପାଇଁ ‘ରବର୍ଟ’ ଏବଂ ‘ମାଟିଲ୍ଡା’ ନାମକ ଦୁଇଟି ହ୍ୟୁମାନଏଡ୍ ରୋବୋଟ୍ର ପ୍ରତୀକାତ୍ମକ ବିବାହ ଆୟୋଜନ କରାଯାଇଛି।
ଅନୁଷ୍ଠାନରେ ଉଭୟ ରୋବୋଟ୍ଙ୍କୁ ବର ଓ କନ୍ୟା ବେଶରେ ସଜାଯାଇଥିଲା। ବିବାହ ରୀତିନୀତିର ଅଂଶ ଭାବେ ସେମାନେ ପରସ୍ପରକୁ ବ୍ରେସଲେଟ୍ ପିନ୍ଧାଇ ପ୍ରତୀକାତ୍ମକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ଅଭିନବ ଆୟୋଜନ ଦେଖିବା ପାଇଁ ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ।
ଅନୁଷ୍ଠାନର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ଏକ ରୋବୋଡଗ୍ର ଉପସ୍ଥିତି। ବିବାହରେ ବ୍ୟବହୃତ ବ୍ରେସଲେଟ୍କୁ ଏହି ରୋବୋଡଗ୍ ମଞ୍ଚକୁ ଆଣିଥିଲା। ଏହି ଦୃଶ୍ୟ ଦେଖି ଉପସ୍ଥିତ ଲୋକମାନେ ଉତ୍ସାହିତ ହେବା ସହ ତାଳିରେ ସ୍ୱାଗତ କରିଥିଲେ।
ଉଲ୍ଲେଖଯୋଗ୍ୟ, ରୋବୋଟ୍ ହେଉଛି ମଣିଷ ଦ୍ୱାରା ନିର୍ମିତ ଏକ ଉନ୍ନତ ପ୍ରଯୁକ୍ତିଭିତ୍ତିକ ଯନ୍ତ୍ର, ଯାହା ବର୍ତ୍ତମାନ ଶିଳ୍ପ, ସ୍ୱାସ୍ଥ୍ୟସେବା, ଗବେଷଣା ଓ ସେବା କ୍ଷେତ୍ର ସମେତ ଅନେକ ଜଟିଳ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରୁଛି। ମସ୍କୋର ଏହି ଅଭିନବ ଆୟୋଜନ ରୋବୋଟିକ୍ସ ଜଗତର ଏକ ସୃଜନଶୀଳ ପ୍ରଦର୍ଶନ ଭାବେ ଚର୍ଚ୍ଚାରେ ରହିଛି।




