ହାଇଦ୍ରାବାଦ: ଆମେରିକାରେ ପୁଣି ଏକ ବର୍ବର ଘୃଣା ଜନିତ ଅପରାଧ ସାମ୍ନାକୁ ଆସିଛି। ୟୁଟା ରାଜ୍ୟର ୱେଷ୍ଟ ବ୍ୟାଲି ସିଟିସ୍ଥିତ ‘ବ୍ୟାଲି ଫେୟାର ମଲ୍’ରେ ଜଣେ ହାଇଦ୍ରାବାଦୀ ଯୁବକଙ୍କୁ ଅତି ନିର୍ମମ ଭାବେ ୧୫ରୁ ଅଧିକ ବାର ଛୁରାମାଡ଼ କରାଯାଇଛି। ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ହାଇଦ୍ରାବାଦ ଟୋଲି ଚୌକି ଅଞ୍ଚଳର ସୈୟଦ ସୋହେଲଉଦ୍ଦିନ (୩୭)। ବର୍ତ୍ତମାନ ସେ ସ୍ଥାନୀୟ ଏକ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ସୋହେଲଉଦ୍ଦିନ ବିଗତ ଅଢ଼େଇ ବର୍ଷ ହେବ ସେହି ମଲ୍ରେ ଏକ କିଓସ୍କ (ଦୋକାନ) ଚଳାଉଥିଲେ। ଗତ ଜୁଲାଇ ୧୩ ତାରିଖରେ ୪୮ ବର୍ଷୀୟ ପିଟର ମାଇକେଲ ଲାର୍ସନ ନାମକ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସି ପ୍ରଥମେ ତାଙ୍କ ନାମ, ଦେଶ ଓ ସେ ‘ମୁସଲିମ’ କି ନୁହେଁ ବୋଲି ପଚାରିଥିଲା। ସୋହେଲଉଦ୍ଦିନ ‘ହଁ’ କହିବା ମାତ୍ରେ ଲାର୍ସନ ଏକ ଛୁରୀ ବାହାର କରି ତାଙ୍କ ଉପରକୁ ଆକ୍ରମଣ କରିଥିଲା। ସେ ସୋହେଲଙ୍କ ଶରୀରରେ ୧୫ରୁ ଅଧିକ ସ୍ଥାନରେ ଛୁରାମାଡ଼ କରିଥିଲା। ସେଠାରେ ଉପସ୍ଥିତ ଥିବା କିଛି ସାହସୀ ସ୍ଥାନୀୟ ଲୋକ ଦୁର୍ବୃତ୍ତକୁ କାବୁ କରି ପୋଲିସ ଜିମା ଦେଇଥିଲେ। ଗିରଫ ହେବା ପରେ ଅଭିଯୁକ୍ତ ଲାର୍ସନ ପୋଲିସ ଆଗରେ ସ୍ୱୀକାର କରିଛି ଯେ ସେ ମୁସଲିମମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ହିଁ ଏହି ଆକ୍ରମଣ କରିଥିଲା।ଏହି ଖବର ପାଇବା ପରେ ହାଇଦ୍ରାବାଦରେ ଥିବା ସୋହେଲଉଦ୍ଦିନଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।
ସୋହେଲଙ୍କର ଦୁଇଟି ଛୋଟ ପିଲା (୫ ବର୍ଷ ଓ ୩ ବର୍ଷ) ରହିଛନ୍ତି। ସ୍ୱାମୀଙ୍କର ଏଭଳି ଅବସ୍ଥା ଶୁଣି ସ୍ତ୍ରୀ ଅମରିନ ଫିରଦୋସ ଚେତାଶୂନ୍ୟ ହୋଇପଡ଼ିଛନ୍ତି। ଆହତ ସୋହେଲଙ୍କ ପାଖକୁ ଯିବା ପାଇଁ ପରିବାର ସଦସ୍ୟ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଜରୁରୀକାଳୀନ ହ୍ୟୁମାନିଟେରିଆନ୍ ଭିସା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି।
ମଜଲିସ୍ ବଚାଓ ତେହେରିକ୍ (MBT) ପ୍ରବକ୍ତା ଅମଜେଦ ଉଲ୍ଲା ଖାନ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ୱାଶିଂଟନ ସ୍ଥିତ ଭାରତୀୟ ଦୂତାବାସ ଜରିଆରେ ସୋହେଲଙ୍କୁ ସମସ୍ତ ପ୍ରକାର କନସୁଲାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଆମେରିକାରେ ଥିବା ସାନ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ଦୂତାବାସ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନ ସହ ସମ୍ପର୍କରେ ଥିବା ସୂଚନା ଦେଇଛି।




