ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଆମେରିକାର ଭାରତସ୍ଥିତ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ଙ୍କ ମନ୍ତବ୍ୟକୁ ନେଇ ପାକିସ୍ତାନର ଆପତ୍ତି ଉପରେ ଭାରତ ପ୍ରତିକ୍ରିୟା ରଖିଛି। ପାକିସ୍ତାନର ‘ନିରାଶା’ ଉପରେ ମନ୍ତବ୍ୟ ଦେବାର କୌଣସି କାରଣ ନାହିଁ ବୋଲି ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) କହିଛି। ଏଥିସହ ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଓ ଅଖଣ୍ଡ ଅଂଶ ବୋଲି ଭାରତ ପୁଣିଥରେ ସ୍ପଷ୍ଟ କରିଛି।
ନୂଆଦିଲ୍ଲୀରେ ଶୁକ୍ରବାର ଅନୁଷ୍ଠିତ ଏମ୍ଇଏର ଦ୍ୱି-ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର ଜୟସ୍ୱାଲଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଜମ୍ମୁ, କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ। ଏହା ଅତୀତରେ ଥିଲା, ବର୍ତ୍ତମାନ ମଧ୍ୟ ଅଛି ଏବଂ ଆଗକୁ ମଧ୍ୟ ରହିବ। ପାକିସ୍ତାନର ନିରାଶା ଉପରେ ମନ୍ତବ୍ୟ ଦେବାର କୌଣସି କାରଣ ସେ ଦେଖୁନାହାନ୍ତି ବୋଲି ଜୟସ୍ୱାଲ କହିଥିଲେ।
ଗୋର୍ଙ୍କ କାଶ୍ମୀର ଗସ୍ତ ପରେ ବିବାଦ
ଅଗଷ୍ଟ ୧୯ରେ ଆମେରିକାର ଭାରତସ୍ଥିତ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ଙ୍କ ଜମ୍ମୁ-କାଶ୍ମୀର ଗସ୍ତ ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଶ୍ରୀନଗରରେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ସାକ୍ଷାତ୍ ପରେ ଗୋର୍ ଜମ୍ମୁ-କାଶ୍ମୀରକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଥିଲେ।
୨୦୧୯ରେ ଧାରା ୩୭୦ ଉଚ୍ଛେଦ ଏବଂ ୨୦୨୫ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୋର୍ଙ୍କ ଏହି ଗସ୍ତକୁ ଜମ୍ମୁ-କାଶ୍ମୀର ପ୍ରତି ଆମେରିକାର ଜଣେ ରାଷ୍ଟ୍ରଦୂତଙ୍କ ପ୍ରଥମ ସ୍ୱତନ୍ତ୍ର ଗସ୍ତ ବୋଲି କୁହାଯାଇଛି। ଗସ୍ତ ସମୟରେ ଗୋର୍ ଜମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନର ପଦକ୍ଷେପକୁ ପ୍ରଶଂସା କରିଥିଲେ।
ଏଥିସହ ଜମ୍ମୁ-କାଶ୍ମୀର ପାଇଁ ଆମେରିକାର ଯାତ୍ରା ସତର୍କତାକୁ ପୁନଃସମୀକ୍ଷା କରି ହ୍ରାସ କରାଯାଇପାରେ ବୋଲି ମଧ୍ୟ ସେ ସଙ୍କେତ ଦେଇଥିଲେ।
ଆମେରିକାକୁ ପ୍ରତିବାଦ ଜଣାଇଥିଲା ପାକିସ୍ତାନ
ଗୋର୍ଙ୍କ ମନ୍ତବ୍ୟ ପରେ ଅଗଷ୍ଟ ୧୯ରେ ପାକିସ୍ତାନ ଆମେରିକାର କୂଟନୀତିଜ୍ଞଙ୍କୁ ଡାକି ଆନୁଷ୍ଠାନିକ ପ୍ରତିବାଦ ଜଣାଇଥିଲା। ଗୋର୍ଙ୍କ ମନ୍ତବ୍ୟ ‘ତଥ୍ୟଗତ ଭାବେ ଭୁଲ’ ଏବଂ କାଶ୍ମୀର ପ୍ରସଙ୍ଗରେ ୱାସିଂଟନର ପାରମ୍ପରିକ ଆଭିମୁଖ୍ୟର ବିରୋଧୀ ବୋଲି ପାକିସ୍ତାନ ଦାବି କରିଥିଲା।
ତେବେ ଏହି ପ୍ରସଙ୍ଗରେ ପାକିସ୍ତାନ ସହ କୌଣସି ବିତର୍କରେ ନ ଯାଇ ଭାରତ ନିଜର ଦୀର୍ଘଦିନର ଆଭିମୁଖ୍ୟକୁ ପୁଣି ସ୍ପଷ୍ଟ କରିଛି—ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ।




