ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ମାମଲାରେ ‘କୋର୍ଟ ଅଫ୍ ଆର୍ବିଟ୍ରେସନ୍’ (ସିଓଏ) ଦ୍ୱାରା ଦିଆଯାଇଥିବା ରାୟକୁ ଭାରତ ସଫାସଫି ଭାବେ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଶନିବାର କହିଛି ଯେ, ଏହି ମଧ୍ୟସ୍ଥତା ସଂସ୍ଥାକୁ ଭାରତ କେବେବି ବୈଧ ଭାବେ ସ୍ୱୀକାର କରିନାହିଁ ଏବଂ ଏହାର ଯେକୌଣସି ନିଷ୍ପତ୍ତି ଅବୈଧ ଓ ଅଗ୍ରାହ୍ୟ।
ମେ ୧୫ ତାରିଖରେ ଜାରି ହୋଇଥିବା ଏହି ରାୟ ଉପରେ ପ୍ରତିକ୍ରିୟା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ, “ବେଆଇନ ଭାବେ ଗଠିତ ସିଓଏର ସମସ୍ତ ପୂର୍ବ ଘୋଷଣାକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିଆସୁଛି। ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନେଇ ଭାରତର ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି।”
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସିଓଏର ଗଠନ ସିନ୍ଧୁ ଜଳ ଚୁକ୍ତିର ମୂଳ ନିୟମକୁ ଉଲ୍ଲଂଘନ କରିଛି। ତେଣୁ ଏହି ସଂସ୍ଥାର କୌଣସି ଆଇନଗତ ଅସ୍ତିତ୍ୱ ନଥିବାବେଳେ ଏହାର ପ୍ରକ୍ରିୟା କିମ୍ବା ନିଷ୍ପତ୍ତିକୁ ମଧ୍ୟ ଭାରତ ସ୍ୱୀକାର କରିବ ନାହିଁ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଜାତୀୟ ସୁରକ୍ଷା ଓ ସାର୍ବଭୌମ ଅଧିକାରକୁ ଆଧାର କରି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ସରକାର ସ୍ପଷ୍ଟ କରିଛି ଯେ, ପାକିସ୍ତାନ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରୁନାହିଁ, ସେପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆହୁରି କହିଛି ଯେ, ଏକ ସାର୍ବଭୌମ ରାଷ୍ଟ୍ର ଭାବେ ନିଜ ସୁରକ୍ଷା ଓ ହିତ ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ଭାରତ ସ୍ୱାଧୀନ ଏବଂ ଏପରି ପଦକ୍ଷେପର ବୈଧତା ଯାଞ୍ଚ କରିବାର ଅଧିକାର କୌଣସି ବାହ୍ୟ ମଧ୍ୟସ୍ଥତା ସଂସ୍ଥାର ନାହିଁ।




